ଷ୍ଟାଇଲିସ ପ୍ରାଜୋକ୍ତା
ଆଜିକାଲି ସମସ୍ତେ ଡିଜିଟାଲି ନିଜର ପରିଚୟକୁ ବଢାଇବାରେ ଲାଗିଛନ୍ତି । ତେବେ ଭାରତର ଡିଜିଟାଲ ଷ୍ଟାରଙ୍କ କଥା ପଡିଲେ ଆଗ ଆସିଥାଏ ପ୍ରାଜୋକ୍ତା କୋଲିଙ୍କ ନାଁ । ଯିଏ ନିକଟରେ ପିଙ୍କଭିଲ୍ଲା କ୍ରିଏଟର ସମ୍ମାନ ପାଇବାପରେ ଚର୍ଚ୍ଚାକୁ ଆସିଛନ୍ତି ।
ନିକଟରେ 'ପିଙ୍କଭିଲା ଷ୍ଟାଇଲିସ୍ ଆୱାର୍ଡସ' ମଞ୍ଚରେ 'ଷ୍ଟାଇଲିସ୍ କ୍ରିଏଟର' ସମ୍ମାନରେ ସମ୍ମାନିତ ହୋଇ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି ପ୍ରାଜୋକ୍ତା କୋଲି । ଜଣେ ସାଧାରଣ ମଧ୍ୟବିତ୍ତ ପରିବାରର ଝିଅରୁ ଆନ୍ତର୍ଜାତୀୟ ସ୍ତରର ଜଣେ ସଫଳ ଡିଜିଟାଲ୍ ଷ୍ଟାର୍ ପାଲଟିଥିବା ପ୍ରାଜୋକ୍ତାଙ୍କର କ୍ୟାରିୟର ଅନେକଙ୍କ ପାଇଁ ପ୍ରେରଣାଦାୟୀ । ମହାରାଷ୍ଟ୍ରରେ ୧୯୯୩ରେ ଜନ୍ମଗ୍ରହଣ କରିଥିବା ପ୍ରାଜୋକ୍ତା, 'ମୋଷ୍ଟଲି ସେନ୍' ୟୁଟ୍ୟୁବ ଚ୍ୟାନେଲ ଜରିଆରେ ଡିଜିଟାଲ ଦୁନିଆରେ ପାଦ ଦେଇଥିଲେ । ତାଙ୍କର ଏହି ଚ୍ୟାନେଲ ପାଇଁ ତାଙ୍କୁ ଅନେକଲୋକ ଜାଣିବା ସହିତ ତାଙ୍କର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି ହୋଇଥିଲା । ତେବେ ଏତେ ସଫଳତା ପାଇଥିବା ପ୍ରାଜୋକ୍ତାଙ୍କ କ୍ୟାରିୟରର ଆରମ୍ଭ ବେଶ୍ ସଂଘର୍ଷପୂର୍ଣ୍ଣ ଥିଲା। ପିଲାଦିନୁ ଏକ ରେଡିଓ ଜକି ବା ଆରେ ଜେ ହେବାର ସ୍ୱପ୍ନ ଦେଖିଥିଲେ ପ୍ରାଜୋକ୍ତା । ପ୍ରଥମରୁ ଏକ ଲୋକପ୍ରିୟ ରେଡିଓ ଷ୍ଟେସନରେ ଇଣ୍ଟର୍ଣ୍ଣ ଭାବେ କାମ ଆରମ୍ଭ କରିଥିଲେ ମଧ୍ୟ ସେଥିରେ ଆଶାଜନକ ସଫଳତା ପାଇନଥିଲେ ପ୍ରାଜୋକ୍ତା । ମାତ୍ର ୨୧ ବର୍ଷ ବୟସରେ ନିଜ ପିଲାଦିନର ସ୍ବପ୍ନ ଭାଙ୍ଗିଥିବାର ଦେଖି ସେ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିଲେ। ତେବେ ୨୦୧୫ ମସିହାରେ ଏକ ନିଷ୍ପତ୍ତି ତାଙ୍କର କ୍ୟାରିୟର ବଦଳାଇ ଦେଇଥିଲା । କ୍ୟାରିୟରରେ ପରିବର୍ତ୍ତନ ଆଣିବା ପାଇଁ ୟୁଟ୍ୟୁବ୍ରେ ପାଦ ଥାପିଥିଲେ । ନିଜର କମେଡି ଶୈଳୀ ତଥା ମଧ୍ୟବିତ୍ତ ଭାରତୀୟ ପରିବାରର ଦୈନନ୍ଦିନ ଘଟଣାବଳୀକୁ ନେଇ ପ୍ରସ୍ତୁତ କରୁଥିବା ଭିଡିଓ ମାଧ୍ୟମରେ ଖୁବ୍ କମ୍ ସମୟ ମଧ୍ୟରେ ଜଣେ ଲୋକପ୍ରିୟ କଣ୍ଟେଣ୍ଟ କ୍ରିଏଟର ଭାବେ ଉଭା ହୋଇଥିଲେ। ତାଙ୍କର ସୃଜନଶୀଳ ଦକ୍ଷତା ତାଙ୍କୁ କେବଳ ସୋସିଆଲ ମିଡିଆରେ ସୀମିତ ରଖିନଥିଲା, ବରଂ ଅନେକ ବଡବଡ ସୁଯୋଗ ପ୍ରଦାନ କରିଥିଲା । ସେ ନେଟଫ୍ଲିକ୍ସର ସୁପରହିଟ୍ ସିରିଜ୍ 'ମିସମ୍ୟାଚଡ୍'ରେ 'ଡିମ୍ପଲ୍ ଆହୁଜା' ଚରିତ୍ରରେ ଅଭିନୟ କରି ଓଟିଟି ଦୁନିଆରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିବାରେ ସକ୍ଷମ ହୋଇପାରିଥିଲେ । ଏହାସହ ବଲିଉଡ୍ର ବଡ଼ ବ୍ୟାନରର ଚଳଚ୍ଚିତ୍ର 'ଯୁଗ ଯୁଗ ଜିୟୋ' ମାଧ୍ୟମରେ ବଡ଼ ପରଦାରେ ଡେବ୍ୟୁ କରି ପ୍ରଶଂସିତ ହୋଇଥିଲେ। ସବୁବେଳେ ନିଜ ଫ୍ୟାଶନ ପାଇଁ ପରିଚିତ ଥିବା ପ୍ରାଜୋକ୍ତା ନିକଟରେ ପିଙ୍କଭିଲା ପକ୍ଷରୁ 'ଷ୍ଟାଇଲିସ୍ କ୍ରିଏଟର' ସମ୍ମାନ ପାଇଛନ୍ତି ଯାହା ତାଙ୍କ ସଫଳତାକୁ ଆଉ ଏକ ପାଦ ବଢାଇଛି । କେବଳ ଅଭିନେତ୍ରୀ ନୁହେଁ ସେ ଜଣେ ଲେଖିକା ଭାବେ ମଧ୍ୟ ସେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ନିଜର ପ୍ରଥମ ଉପନ୍ୟାସ ଠୁ ଗୁଡ ଟି ବି ଟ୍ରୁ ଜରିଆରେ ବହୁମୁଖୀ ପ୍ରତିଭାର ଆଉ ଏକ ପରିଚୟ ଦେଇଛନ୍ତି । ନିଜର ଏହି ଅସାଧାରଣ ପ୍ରତିଭା କାରଣରୁ ସେ ବର୍ତ୍ତମାନ ଯୁବପିଢିଙ୍କର ପ୍ରେରଣା ପାଲଟିଛନ୍ତି ।



