ଟ୍ରୋଲରଙ୍କୁ କଡା ଜବାବ
କାନ୍ସ ଫିଲ୍ମ ଫେଷ୍ଟିଭାଲ୍ ୨୦୨୬ର ରେଡ୍ କାର୍ପେଟ୍ରେ କ୍ରମାଗତ ପଞ୍ଚମଥର ପାଇଁ ଗର୍ବର ସହ ଭାରତର ପ୍ରତିନିଧିତ୍ବ କରି ଆନ୍ତର୍ଜାତୀୟ ସ୍ତରରେ ପ୍ରଶଂସା ସାଉଣ୍ଟୁଥିବା ବଲିଉଡ୍ ଅଭିନେତ୍ରୀ ଉର୍ବଶୀ ରୌତେଲା, ସୋସିଆଲ୍ ମିଡିଆରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି । ସୂଚନା ଅନୁସାରେ ଅଭିନେତ୍ରୀମାନଙ୍କ ମଧ୍ୟରେ ଚାଲିଥିବା ତୁଳନା ଏବଂ ଫ୍ୟାନ୍ ୱାର୍ର ନକାରାତ୍ମକ ପ୍ରବୃତ୍ତିକୁ ନେଇ ସେ ନିଜର କଡ଼ା ଆପତ୍ତି ଓ ଅସନ୍ତୋଷ ପ୍ରକାଶ କରିଛନ୍ତି। ଜଣେ ପ୍ରଶଂସକ ଏଆଇ ସାହାଯ୍ୟରେ ଏକ ବିବାଦୀୟ ଫଟୋ ପ୍ରସ୍ତୁତ କରିଥିଲେ, ଯେଉଁଥିରେ ଐଶ୍ଚର୍ଯ୍ୟା ରାୟଙ୍କୁ ଗ୍ଲୋବାଲ୍ ଷ୍ଟାରଡମ୍ର ଶୀର୍ଷରେ ଏବଂ ପ୍ରିୟଙ୍କା ଚୋପ୍ରା, ଦୀପିକା ପାଦୁକୋନ ଓ ମାଧୁରୀ ଦୀକ୍ଷିତଙ୍କ ଭଳି ବରିଷ୍ଠ ଅଭିନେତ୍ରୀମାନଙ୍କୁ ସିଂହାସନ ନିକଟରେ ଉଚ୍ଚ ସ୍ଥାନରେ ଦେଖାଯାଇଥିବା ବେଳେ, ଆଲିଆ ଭଟ୍ଟ, କ୍ୟାଟ୍ରିନା କୈଫ୍, କରିନା କପୁର ଏବଂ ନିଜେ ଉର୍ବଶୀଙ୍କୁ ସେମାନଙ୍କ ତଳେ ଆଣ୍ଠୁମାଡ଼ି ବସିଥିବା ଅବସ୍ଥାରେ ଅତି ନିମ୍ନ କରି ପ୍ରଦର୍ଶିତ କରାଯାଇଥିଲା । ଏହି ଭାଇରାଲ୍ ଫଟୋକୁ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ସେୟାର କରି ଉର୍ବଶୀ ଏହାକୁ ଅତ୍ୟନ୍ତ 'ଟକ୍ସିକ୍' ବୋଲି ଅଭିହିତ କରିଛନ୍ତି ଏବଂ ପ୍ରତିବାଦ କରିଛନ୍ତି । ସେ ଲେଖିଛନ୍ତି ଯେ, ପ୍ରତ୍ୟେକ ଅଭିନେତ୍ରୀଙ୍କର ନିଜସ୍ୱ ସଂଘର୍ଷ, ପରିଶ୍ରମ ଓ ସ୍ୱତନ୍ତ୍ର ଭାଗ୍ୟ ରହିଥାଏ, ତେଣୁ ମହିଳାମାନଙ୍କ ମଧ୍ୟରେ ଏଭଳି ଅଯଥା ତୁଳନା କରି କେବଳ କୁତ୍ସା ରଟନା ଓ ନକାରାତ୍ମକତା ପ୍ରସାର କରିବା ଅନୁଚିତ୍। ଏହିପରି ପୋଷ୍ଟ ପ୍ରସ୍ତୁତ ନକରିବାକୁ ପ୍ରଶଂସକମାନଙ୍କୁ ନିବେଦନ କରିବା ସହ ଉର୍ବଶୀ ସମସ୍ତ କଳାକାରଙ୍କ ପ୍ରତିଭାକୁ ସମ୍ମାନ ଜଣାଇବାକୁ ଆହ୍ୱାନ ଦେଇଛନ୍ତି ।



