ୟୁଟ୍ୟୁବରୁ ହଟିଲା ଗୀତ
ନୋରା ଫତେହିଙ୍କ ଆଇଟମ ଗୀତପାଇଁ ସବୁବେଳେ ଦର୍ଶକ ଅପେକ୍ଷା କରିଥାଆନ୍ତି, ହେଲେ ନିକଟରେ ନୋରାଙ୍କର ଏକ ଗୀତକୁ ଦର୍ଶକଙ୍କ ଭଲପାଇବା ନୁହେଁ ବରଂ ବିରୋଧ ମିଳିଛି । ସୂଚନା ଅନୁଯାୟୀ, ଆଗାମୀ ଚଳଚ୍ଚିତ୍ର ‘କେଡି: ଦ ଡେଭିଲ୍’ର ନୂଆ ଗୀତ ‘ସରକେ ଚୁନରୀ’କୁ ନେଇ ସାରା ଦେଶରେ ତୀବ୍ର ବିବାଦ ଦେଖାଦେଇଛି, ଯାହାଫଳରେ ଏହାକୁ ୟୁଟ୍ୟୁବରୁ ହଟାଇ ଦିଆଯାଇଛି । ସଞ୍ଜୟ ଦତ୍ତ ଏବଂ ନୋରା ଫତେହିଙ୍କର ଏହି ଗୀତରେ ଅତ୍ୟଧିକ ଅଶ୍ଳୀଳତା, ଦ୍ୱିଅର୍ଥବୋଧକ ଶବ୍ଦ ଏବଂ ଆପତ୍ତିଜନକ ଦୃଶ୍ୟ ଥିବା ନେଇ ସାଧାରଣ ଜନତାଙ୍କ ସମେତ ସର୍ବଭାରତୀୟ ସିନେ କର୍ମଚାରୀ ସଂଘ ପକ୍ଷରୁ ଅଭିଯୋଗ ହୋଇଥିଲା । ତେବେ କେବଳ ଦର୍ଶକ ନୁହେଁ ଏହାକୁ କିଛି ସେଲିବ୍ରିଟି ମଧ୍ୟ ବିରୋଧ କରୁଥିବା ଦେଖିବାକୁ ମିଳିଛି । କଣ୍ଠଶିଳ୍ପୀ ଅରମାନ ମଲିକ ଏହାକୁ ସଙ୍ଗୀତ କ୍ଷେତ୍ରରେ ଏକ ‘ନିମ୍ନସ୍ତରର ଉଦାହରଣ’ ଭାବେ ବର୍ଣ୍ଣନା କରିଥିବା ବେଳେ ପୂର୍ବତନ କ୍ରିକେଟର ହରଭଜନ ସିଂ ମଧ୍ୟ ଏହାର କଠୋର ସମାଲୋଚନା କରିଛନ୍ତି । ଏହି ଘଟଣାରେ ଜାତୀୟ ମାନବାଧିକାର କମିଶନ ଚଳଚ୍ଚିତ୍ର ନିର୍ମାତାଙ୍କୁ ନୋଟିସ ଜାରି କରିଥିବା ଜଣା ପଡିଛି । ଦିଲ୍ଲୀ ପୋଲିସର ସାଇବର ସେଲରେ ମଧ୍ୟ ନିର୍ଦ୍ଦେଶକ ପ୍ରେମ, ସଙ୍ଗୀତ ନିର୍ଦ୍ଦେଶକ ଅର୍ଜୁନ ଜାନିଆ ଓ ଗୀତିକାର ରକିବ ଆଲମଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଘଟଣା ପରେ ନୋରା ଫତେହି ମଧ୍ୟ ନିଜ ସୋସିଆଲ ମିଡିଆ ଆକାଉଣ୍ଟରୁ ଏହି ଭିଡିଓକୁ ଡିଲିଟ୍ କରିଛନ୍ତି ।



