ସୋନାଙ୍କ କଟାକ୍ଷ
ବଲିଉଡ୍ ଅଭିନେତା ସଲମାନ ଖାନଙ୍କ ଆଗାମୀ ଚଳଚ୍ଚିତ୍ର 'ମାତୃଭୂମି'ର ନୂଆ ଗୀତ 'ତେରୀ ସେକ୍ସି ବ୍ୟୁଟି'କୁ ନେଇ ବିବାଦ ଦେଖାଦେଇଛି । ତେବେ ଏହାକୁ ନେଇ କଣ୍ଠଶିଳ୍ପୀ ସୋନା ମହାପାତ୍ର ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି ସଲମାନଙ୍କୁ ତୀବ୍ର କଟାକ୍ଷ କରିଛନ୍ତି । ସୈନିକମାନଙ୍କ ବଳିଦାନ ଉପରେ ଆଧାରିତ ଏକ ଦେଶପ୍ରେମମୂଳକ ଚଳଚ୍ଚିତ୍ରରେ ମଦ୍ୟପାନ କରି ଉଡ଼ିବା ଭଳି ଗୀତ ରଖିବା କେତେଦୂର ଯୁକ୍ତିଯୁକ୍ତ ବୋଲି ସୋନା ପ୍ରଶ୍ନ କରିଛନ୍ତି । ଏହାସହ ଏଭଳି ବଲିଉଡ୍ କ୍ୟାରିଅର ହରାଇଥିବାର ତାଙ୍କର କୌଣସି ଅବଶୋଷ ନାହିଁ ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି । ପ୍ରଭାବଶାଳୀ ବ୍ୟକ୍ତିଙ୍କ 'ରାଜଦରବାର'ରେ ହାଜର ହେବା ଅପେକ୍ଷା ନିଜସ୍ୱ ସଙ୍ଗୀତ ଜରିଆରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ଅଧିକ ଗୌରବର ବିଷୟ ବୋଲି ସେ କହିଛନ୍ତି । ଏହାସହ ସେ ୨୦୧୬ର 'ସୁଲତାନ' ଏବଂ ୨୦୧୯ର 'ଭାରତ' ଚଳଚ୍ଚିତ୍ର ସମୟରେ ସଲମାନଙ୍କ ସହ ହୋଇଥିବା ପୁରୁଣା ବିବାଦକୁ ମଧ୍ୟ ମନେ ପକାଇଛନ୍ତି । ଅନ୍ୟପକ୍ଷରେ, ଅପୂର୍ବ ଲାଖିଆଙ୍କ ନିର୍ଦ୍ଦେଶିତ 'ମାତୃଭୂମି: ମେ ୱାର୍ ରେଷ୍ଟ୍ ଇନ୍ ପିସ୍' ଯୁଦ୍ଧ ଓ ସୈନିକଙ୍କ ବଳିଦାନ ଉପରେ ଆଧାରିତ, ଯେଉଁଥିରେ ସଲମାନଙ୍କ ସହ ଚିତ୍ରାଙ୍ଗଦା ସିଂହ ମୁଖ୍ୟ ଭୂମିକାରେ ନଜର ଆସିବେ ।




