ସିଙ୍ଗଲ ସ୍କ୍ରିନ
ବର୍ତ୍ତମାନର ଫିଲ୍ମ ଇଣ୍ଡଷ୍ଟ୍ରୀ ଆଉ ସାଉଥ କିମ୍ବା ବଲିଉଡ ନୁହେଁ ବରଂ ଭାରତୀୟ ସିନେମା ଇଣ୍ଡଷ୍ଟ୍ରୀରେ ପରିଣତ ହୋଇଛି । ଏଭଳି ଅନେକ ଫିଲ୍ମ ନିର୍ମାଣ ହେଉଛି ଯେଉଁଥିରେ ଉଭୟ ଇଣ୍ଡଷ୍ଟ୍ରୀର ନାମୀଦାମୀ କଳାକାରଙ୍କୁ ଦର୍ଶକ ଦେଖୁଛନ୍ତି । ବର୍ତ୍ତମାନ ଚଳିଚ୍ଚିତ୍ର ଇଣ୍ଡଷ୍ଟ୍ରୀ ଭାରତୀୟ ସିନେ ଇଣ୍ଡଷ୍ଟ୍ରୀ ନାଁରେ ସଫଳତା ସାଉଁଟିବାରେ ଲାଗିଛି ।
ଭାରତୀୟ ଚଳଚ୍ଚିତ୍ର ଜଗତ ବର୍ତ୍ତମାନ ଏକ ପରିବର୍ତ୍ତନଶୀଳ ମୋଡ଼ ଦେଇ ଗତି କରୁଛି, ଯେଉଁଠାରେ ବଲିଉଡର ଚଳଚ୍ଚିତ୍ର ନିର୍ମାତାମାନେ ଦକ୍ଷିଣ ଭାରତୀୟ ସିନେମା ଆଡ଼କୁ ମୁହାଁଉଛନ୍ତି ଏବଂ ଦକ୍ଷୀଣ କଳାକାର ତଥା ନିର୍ମାତା ବି ଟାଉନରେ ଆଗ୍ରହ ଦେଖାଉଛନ୍ତି । ନିଜର ନିଆରା କାହାଣୀ ଶୈଳୀକୁ ଏକ ବୃହତ ଦର୍ଶକ ଗୋଷ୍ଠୀ ପାଖରେ ପହଞ୍ଚାଇବା ପାଇଁ ଉଭୟ ଇଣ୍ଡଷ୍ଟ୍ରୀ ଏଭଳି ପଦକ୍ଷେପ ନେଉଥିବା ଚର୍ଚ୍ଚା ହେଉଛି । ଏହି ପାରସ୍ପରିକ ସମନ୍ୱୟ କେବଳ ଚଳଚ୍ଚିତ୍ର ଜଗତକୁ ସମୃଦ୍ଧ କରିନାହିଁ, ବରଂ ଏକ 'ପ୍ୟାନ୍-ଇଣ୍ଡିଆନ୍' ବା ସର୍ବଭାରତୀୟ ମନୋରଞ୍ଜନ ଅବଧାରଣା ପାଇଁ ପଥ ପରିଷ୍କାର କରିଛି । ଏହାର ଅନେକ ଉଦାହରଣ ଦେଖିବାକୁ ମିଳୁଛି, ଯେଉଁଥିରେ ବିଟାଉନ ନିର୍ଦ୍ଦେଶକଙ୍କ ସହିତ ସାଉଥର ବଡବଡ ସୁପରଷ୍ଟାର କାମ କରୁଛନ୍ତି । ଏଭଳି ଫିଲ୍ମ ଦେଖିବାକୁ ଦର୍ଶକଙ୍କ ଭିତରେ ମଧ୍ୟ ଖୁବ ଆଗ୍ରହ ଦେଖିବାକୁ ମିଳୁଛି । ସମସ୍ତେ ଏଭଳି ତଡକାକୁ ପସନ୍ଦ କରୁଛନ୍ତି । ସେହିଭଳି ବି ଟାଉନର ଅନେକ କଳାକାରଙ୍କୁ ସାଉଥର ବଡବଡ ପ୍ରୋଜେକ୍ଟରେ ଦେଖିବାକୁ ମିଳୁଛି । ଯାହା ଫିଲ୍ମକୁ ବିଶ୍ବ ସ୍ତରରେ ପହଞ୍ଚାଇବାରେ ସହାୟକ ହେଉଛି । ଏହି ସବୁ ନିର୍ମାତା ଓ କଳାକାରମାନେ ଉତ୍ତର ଏବଂ ଦକ୍ଷିଣ ଭାରତୀୟ ସିନେମା ମଧ୍ୟରେ ଥିବା ଦୂରତାକୁ ହ୍ରାସ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି । ବିଭିନ୍ନ ଅଞ୍ଚଳର ପ୍ରତିଭାଙ୍କ ସହ ମିଶି ସେମାନେ ଏକ ସମନ୍ୱିତ ଏବଂ ଜୀବନ୍ତ ଭାରତୀୟ ଚଳଚ୍ଚିତ୍ର ଶିଳ୍ପ ଗଠନରେ ଅବଦାନ ଦେଉଛନ୍ତି । ଯେହେତୁ ଏହି ଆନ୍ତଃ-ଆଞ୍ଚଳିକ ସହଯୋଗ ବୃଦ୍ଧି ପାଉଛି, ଆଗାମୀ ଦିନରେ ଆହୁରି ଅନେକ ରୋମାଞ୍ଚକର ଏବଂ ଅଭିନବ ଚଳଚ୍ଚିତ୍ର ଦେଖିବାକୁ ମିଳିବ ଯାହା ଆଞ୍ଚଳିକ ସୀମା ଅତିକ୍ରମ କରିବ ।



