ଶ୍ବେତାଙ୍କ କ୍ରେଜ
ଭାରତୀୟ ଟେଲିଭିଜନ ଏବଂ ଓଟିଟି ଦୁନିଆର ପରିଚିତ ଅଭିନେତ୍ରୀ ଶ୍ୱେତା ତିୱାରୀ ଆଜି ବି ନିଜର ଦମଦାର ଅଭିନୟ, ବୋଲ୍ଡ ଅନ୍ଦାଜ ପାଇଁ ଫ୍ୟାନଙ୍କ ପାଖରେ ପରିଚିତ । ନିଜ ରିଅଲ ଲାଇଫରେ ଖୁବ ସଂଘର୍ଷ କରିଥିବା ଶ୍ବେତା ଆଜିବି ଦର୍ଶକଙ୍କ ହୃଦୟରେ ରାଜ କରନ୍ତି ।
ଶ୍ବେତା ତିୱାରୀ କ୍ୟାରିୟରର ଆରମ୍ଭ ଏକତା କାପୁରଙ୍କ ବହୁଚର୍ଚ୍ଚିତ ମେଗା ଧାରାବାହିକ 'କସୌଟୀ ଜିନ୍ଦଗୀ କୀ'ରେ 'ପ୍ରେରଣା ଶର୍ମା' ଚରିତ୍ରରୁ କରିଥିଲେ । ଏହି ଚରିତ୍ର ଜରିଆରେ ସେ ଦେଶର ପ୍ରତ୍ୟେକ ଘରେ ଘରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ଏହି ଗୋଟିଏ ଶୋ' ତାଙ୍କୁ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ସଫଳତାର ଶୀର୍ଷରେ ପହଞ୍ଚାଇ ଦେଇଥିଲା । ଏହାପରେ ସେ 'ବିଗ୍ ବସ୍ ସିଜନ୍ ୪'ରେ ଭାଗ ନେଇ ପ୍ରଥମ ମହିଳା ବିଜେତା ହେବାର ଗୌରବ ହାସଲ କରିଥିଲେ, ଯାହା ତାଙ୍କ ଲୋକପ୍ରିୟତାକୁ ଆହୁରି ଦ୍ୱିଗୁଣିତ କରିଦେଇଥିଲା। 'ପରବରିଶ୍', 'ବେଗୁସରାୟ' ଏବଂ 'ମେରେ ଦାଦା କି ଦୁଲହନ୍' ଭଳି ସଫଳ ଧାରାବାହିକ ଜରିଆରେ ସେ ନିଜର ଅଭିନୟ ଦକ୍ଷତା ପ୍ରମାଣିତ କରିବା ସହ ରିଆଲିଟି ଶୋ' 'ଖତରୋଁ କେ ଖିଲାଡ଼ି'ରେ ନିଜର ସାହସିକତାର ପରିଚୟ ମଧ୍ୟ ଦେଇଛନ୍ତି । ତେବେ ବୃତ୍ତିଗତ ଜୀବନରେ ବିପୁଳ ସଫଳତା ସାଉଁଟିଥିବା ଶ୍ୱେତାଙ୍କ ବ୍ୟକ୍ତିଗତ ଜୀବନ କିନ୍ତୁ ଅତ୍ୟନ୍ତ କଷ୍ଟକର ଓ ସଂଘର୍ଷମୟ । ମାତ୍ର ୧୯ ବର୍ଷ ବୟସରେ ରାଜା ଚୌଧୁରୀଙ୍କ ସହ ତାଙ୍କର ପ୍ରଥମ ବିବାହ ହୋଇଥିଲା, କିନ୍ତୁ ଘରୋଇ ହିଂସା ଓ ମାନସିକ ନିର୍ଯାତନା ଯୋଗୁଁ ୨୦୦୭ରେ ଏହି ସମ୍ପର୍କ ଭାଙ୍ଗିଯାଇଥିଲା । ଏହାପରେ ୨୦୧୩ରେ ସେ ଅଭିନେତା ଅଭିନବ କୋହଲିଙ୍କୁ ଦ୍ୱିତୀୟ ବିବାହ କରିଥିଲେ ମଧ୍ୟ ସେହି ସମ୍ପର୍କ ବି ଦୀର୍ଘସ୍ଥାୟୀ ହୋଇପାରିନଥିଲା । ଜଣେ ସିଙ୍ଗଲ ମଦର ଭାବେ ସେ ନିଜର ଦୁଇ ସନ୍ତାନ ଝିଅ ପଲକ ତିୱାରୀ ଏବଂ ପୁଅ ହ୍ରିଦାଂଶଙ୍କୁ ଅତ୍ୟନ୍ତ ସ୍ନେହ ଓ ଦାୟିତ୍ୱର ସହ ବଡ଼ କରିଛନ୍ତି । ସମୟ ସହ ତାଳ ଦେଇ ଶ୍ୱେତା ନିଜକୁ କେବଳ ଛୋଟ ପରଦାରେ ସୀମିତ ନରଖି ଓଟିଟି ଏବଂ ଫିଲ୍ମ ଜଗତକୁ ମଧ୍ୟ ସଫଳତାର ସହ ସମ୍ପ୍ରସାରିତ କରିଛନ୍ତି । ରୋହିତ ଶେଟ୍ଟୀଙ୍କ ଆକ୍ସନ୍ ୱେବ୍ ସିରିଜ୍ 'ଇଣ୍ଡିଆନ୍ ପୋଲିସ୍ ଫୋର୍ସ'ରେ ତାଙ୍କର ଦମଦାର ଅଭିନୟ ବେଶ୍ ପ୍ରଶଂସିତ ହୋଇଥିଲା । ବର୍ତ୍ତମାନ ସେ ଆମାଜନ୍ ପ୍ରାଇମ୍ ଭିଡିଓର ବହୁଚର୍ଚ୍ଚିତ ରିଆଲିଟି ଗେମ୍ ଶୋ' 'ଦି ଟ୍ରେଟର୍ସ ସିଜନ୍ ୨'କୁ ନେଇ ସାରା ଦେଶରେ ଜୋରଦାର ଲାଇମ୍ଲାଇଟ୍ରେ ଅଛନ୍ତି । ୪୦ ବର୍ଷରୁ ଅଧିକ ବୟସରେ ମଧ୍ୟ ନିଜର ଫିଟନେସ୍, ଚମତ୍କାର ଷ୍ଟାଇଲ୍ ଏବଂ ଜୀବନ୍ତ ଅଭିନୟ ବଳରେ ଶ୍ୱେତା ପ୍ରମାଣିତ କରିଛନ୍ତି ଯେ ବୟସ କେବଳ ଏକ ସଂଖ୍ୟା ମାତ୍ର ।




