ଶ୍ରଦ୍ଧାଙ୍କ କ୍ରେଜ
ବଲିଉଡର ଅନ୍ୟତମ ପ୍ରତିଭାଶାଳୀ ଓ ଲୋକପ୍ରିୟ ଅଭିନେତ୍ରୀ ଶ୍ରଦ୍ଧା କପୁର ନିଜର ଦମଦାର ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି । ନିଜର ସହଜ - ସରଳ ଶୈଳୀ ପାଇଁ ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ନିଜର ଚରିତ୍ର ଚୟନରେ ସଦାବେଳେ ଭିନ୍ନତା ଆଣୁଥିବା ଶ୍ରଦ୍ଧା କପୁର ଏବେ ପୁଣି ଥରେ ବଡ଼ ପରଦାରେ ଏକ ସ୍ବତନ୍ତ୍ର ଚରିତ୍ରରେ ନଜର ଆସିବାକୁ ଯାଉଛନ୍ତି ।
ଦିନେଶ ବିଜନଙ୍କ ଆଗାମୀ ସିନେମା 'ଇଥା' ର ଟ୍ରେଲର୍ ନିକଟରେ ମୁକ୍ତିଲାଭ କରିଛି, ଯାହା ଖୁବ ଚର୍ଚ୍ଚାରେ ରହିଛି । ମହାରାଷ୍ଟ୍ରର ପ୍ରସିଦ୍ଧ ତଥା କାଳଜୟୀ ଲୋକକଳାକାର ଭିଠାବାଈ ନାରାୟଣଗାଓଁକରଙ୍କ ଜୀବନୀ ଉପରେ ଆଧାରିତ ଏହି ବାୟୋପିକରେ ଶ୍ରଦ୍ଧା, ଭିଠାବାଈଙ୍କ ମୁଖ୍ୟ ଭୂମିକା ତୁଲାଉଛନ୍ତି । 'ଇଥା'ର ଟ୍ରେଲରରେ ମହାରାଷ୍ଟ୍ରର ପାରମ୍ପରିକ ଲୋକନୃତ୍ୟ 'ତମାଶା' ଓ 'ଲାବଣୀ'ର ମନୋରମ ପରିବେଶ ସହ ଭିଠାବାଈଙ୍କ ସଂଘର୍ଷମୟ ଓ ଗୌରବମୟ ଜୀବନର ଝଲକ୍ ଦେଖିବାକୁ ମିଳିଛି । ଶ୍ରଦ୍ଧାଙ୍କ ନୃତ୍ୟକୁ ନେଇ ଏଥିରେ ଖୁବ ଚର୍ଚ୍ଚା ହେଉଛି । ଶ୍ରଦ୍ଧାଙ୍କର ଏହି ନୂଆ ଅନ୍ଦାଜକୁ ସମସ୍ତେ ଖୁବ ଭଲପାଇବା ଦେଉଛନ୍ତି । ମୁମ୍ବାଇରେ ଜନ୍ମଗ୍ରହଣ କରିଥିବା ଶ୍ରଦ୍ଧାଙ୍କର ପିଲାଦିନ ବାପା ତଥା ଜଣାଶୁଣା ଅଭିନେତା ଶକ୍ତି କପୁର ଓ ମାଆ ଶିବାଙ୍ଗୀଙ୍କ ଅଭିନୟ ଦେଖି କଟିଥିଲା । ତେବେ ଷ୍ଟାର-କିଡ୍ ହୋଇଥିଲେ ବି ସିନେମା ଜଗତରେ ନିଜର ଆଧିପତ୍ୟ ବିସ୍ତାର କରିବା ପାଇଁ ତାଙ୍କୁ କଠିନ ସଂଘର୍ଷ କରିବାକୁ ପଡ଼ିଥିଲା । ଆମେରିକାର ବୋଷ୍ଟନ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ସମୟରେ ହିଁ ଅଭିନୟ ପ୍ରତି ଥିବା ଭଲପାଇବା ତାଙ୍କୁ ବଲିଉଡକୁ ଟାଣି ଆଣିଥିଲା । ଶ୍ରଦ୍ଧାଙ୍କ କ୍ୟାରିୟରର ଆରମ୍ଭ ଆଦୌ ସହଜ ନଥିଲା । ୨୦୧୦ ମସିହାରେ 'ତିନ୍ ପତ୍ତୀ' ଏବଂ ୨୦୧୧ରେ 'ଲଭ୍ କା ଦି ଏଣ୍ଡ' ଚଳଚ୍ଚିତ୍ର ଜରିଆରେ ସେ ନିଜର ଅଭିନୟ ଯାତ୍ରା ଆରମ୍ଭ କରିଥିଲେ । କିନ୍ତୁ ବକ୍ସ ଅଫିସରେ ଏହି ଦୁଇଟିଯାକ ସିନେମା ଆଶାଜନକ ସଫଳତା ପାଇନଥିଲା । ଲଗାତାର ବିଫଳତା ପରେ ବି ସେ ଭାଙ୍ଗି ପଡ଼ିନଥିଲେ । ୨୦୧୩ ମସିହାରେ ମୁକ୍ତିଲାଭ କରିଥିବା 'ଆଶିକୀ ୨' ତାଙ୍କ କ୍ୟାରିୟରର ଟର୍ଣ୍ଣିଂ ପଏଣ୍ଟ ସାଜିଥିଲା । ଏହି ରୋମାଣ୍ଟିକ ସିନେମାରେ 'ଆରୋହୀ' ଭୂମିକାରେ ତାଙ୍କର ମନଛୁଆଁ ଅଭିନୟ ଦର୍ଶକଙ୍କୁ ଖବ ପସନ୍ଦ ଆସିଥିଲା ଏବଂ ସେ ହିଟ ପାଲଟିଯାଇଥିଲେ । ଏହାପରେ 'ଏକ୍ ଭିଲେନ୍', 'ହାସିଦର', 'ଏବିସିଡି ୨', 'ବାଘି', 'ଛୋଛୋରେ' ଏବଂ ସୁପରହିଟ୍ ହରର-କମେଡ଼ି 'ସ୍ତ୍ରୀ' ଓ 'ସ୍ତ୍ରୀ ୨' ଭଳି ଚଳଚ୍ଚିତ୍ରରେ ନିଜ ଅଭିନୟର ଯାଦୁ ଦେଖାଇ ସେ ବଲିଉଡର ସଫଳ ଅଭିନେତ୍ରୀ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି । ନିଜର ସଂଘର୍ଷ, ପରିଶ୍ରମ ଓ ବହୁମୁଖୀ ଅଭିନୟ ବଳରେ ଶ୍ରଦ୍ଧା କପୁର ପୁଣି ଥରେ 'ଇଥା' ମାଧ୍ୟମରେ ସିନେପ୍ରେମୀଙ୍କ ମନ ଜିଣିବାକୁ ପ୍ରସ୍ତୁତ ।




