ଜାରି ରହିବ ଶୁଟିଂ
ସାଉଥ୍ ସୁପରଷ୍ଟାର ଆଲୁ ଅର୍ଜୁନ ଏବଂ ନିର୍ଦ୍ଦେଶକ ଅଟଲୀଙ୍କ ଆଗାମୀ ବହୁ ପ୍ରତିକ୍ଷିତ ପାନ-ଇଣ୍ଡିଆ ଚଳଚ୍ଚିତ୍ର 'ରାକା'କୁ ନେଇ ଚାଲିଥିବା ସମସ୍ତ ଗୁଜବ ଉପରେ ଏବେ ପ୍ରଯୋଜନା ସଂସ୍ଥା ବିରାମ ଲଗାଇଛନ୍ତି । ଦୀପିକା ପାଦୁକୋନ ଦ୍ୱିତୀୟ ଥର ପାଇଁ ଗର୍ଭବତୀ ଥିବାରୁ ଏହି ଫିଲ୍ମରୁ ତାଙ୍କ ଭୂମିକା ହ୍ରାସ କରାଯିବ କିମ୍ବା ତାଙ୍କୁ ବଦଳାଯିବ ବୋଲି ଚର୍ଚ୍ଚା ହେଉଥିଲା । ମାତ୍ର ନିର୍ମାତାମାନେ ସ୍ପଷ୍ଟ କରିଛନ୍ତି ଯେ ଏସବୁ ମିଥ୍ୟା ଏବଂ ଦୀପିକା ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ଶୁଟିଂ ଜାରି ରଖିବେ । ସୂଚନା ଅନୁଯାୟୀ, ଦୀପିକା ଏହି ସାଇନ୍ସ-ଫିକ୍ସନ ଆକ୍ସନ ଫିଲ୍ମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ କଷ୍ଟକର ଆକ୍ସନ ସିକ୍ୱେନ୍ସର ଶୁଟିଂ କରୁଛନ୍ତି । ଯେଉଁଥିପାଇଁ ସେଟ୍ରେ ସମସ୍ତ ପ୍ରକାରର ସତର୍କତା ଅବଲମ୍ବନ କରାଯାଉଛି । ଏହାପୂର୍ବରୁ ୨୦୨୪ରେ ନିଜ ପ୍ରଥମ ସନ୍ତାନ ଦୁଆଙ୍କ ଜନ୍ମ ସମୟରେ ମଧ୍ୟ ସେ 'କଲ୍କି ୨୮୯୮ ଏଡି'ର ଶୁଟିଂ ସଫଳତାର ସହ ଶେଷ କରିଥିଲେ । ସନ ପିକ୍ଚର୍ସ ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ରରେ ଅଲୁ ଅର୍ଜୁନଙ୍କ ଭୟଙ୍କର ଅବତାର ଏବଂ ଦୀପିକାଙ୍କ 'କ୍ୱିନ୍' ଲୁକ୍ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ାଇଥିବା ବେଳେ ଏହା ଅଟଲୀ ଓ ଦୀପିକାଙ୍କ ଦ୍ୱିତୀୟ ମିଳିତ ପ୍ରୋଜେକ୍ଟ ହେବାକୁ ଯାଉଛି ।



