ବର୍ଷିଲେ ସୌରଭ
ଅଭିନେତା ସୌରଭ ରାଜ ଜୈନ୍ ରିଆଲିଟି ଶୋ’ଗୁଡ଼ିକର ନିମ୍ନମାନର ବିଷୟବସ୍ତୁକୁ ନେଇ କଡ଼ା ଅସନ୍ତୋଷ ବ୍ୟକ୍ତ କରିବା ସହ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇଛନ୍ତି । ରିଆଲିଟି ଶୋ’ଗୁଡ଼ିକ କେବଳ ଟିଆରପି ହାସଲ କରିବା ପାଇଁ ଯେଉଁ ସ୍ତରକୁ ଖସିଯାଉଛନ୍ତି, ତାହା ନିହାତି ଲଜ୍ଜାଜନକବୋଲି ସେ ମତ ଦେଇଛନ୍ତି । ଏଗୁଡିକ ମାନସିକ ନିର୍ଯାତନା, ନିଷ୍ଠୁରତା ଓ ବିକୃତ ମାନସିକତାର ନଗ୍ନ ପ୍ରଦର୍ଶନ ବୋଲି ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟ୍ରେ ଉଲ୍ଲେଖ କରିଛନ୍ତି । 'ଲକ୍ଅପ୍-୨', 'ଅଲାଇନ୍ସ' ଏବଂ 'ଭୋଜପୁରୀ ବବାଲ' ଭଳି ଚର୍ଚ୍ଚିତ ଶୋ’ଗୁଡ଼ିକରେ ଅଶ୍ଳୀଳ ଭାଷା, ଗାଳିଗୁଲଜ, ଅନ୍ୟମାନଙ୍କ ସେକ୍ସୁଆଲିଟି ଏବଂ ବ୍ୟକ୍ତିଗତ ଜୀବନକୁ ନେଇ କଟାକ୍ଷ କରାଯାଉଥିବା ସମୟରେ, ବଡ଼ ବଡ଼ ସେଲିବ୍ରିଟି ହୋଷ୍ଟମାନେ କିପରି ନୀରବଦ୍ରଷ୍ଟା ସାଜିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ସୂଚନାଯୋଗ୍ୟ ଯେ, ସୌରଭ ନିଜେ 'ଖତରୋଁ କେ ଖିଲାଡ଼ି ୧୧' ଓ 'ନଚ୍ ବଲିୟେ' ଭଳି ରିଆଲିଟି ଶୋ’ ସହ 'ଦେବୋଁ କେ ଦେବ ମହାଦେବ', 'ମହାକାଳୀ' ଏବଂ 'ପଟିଆଲା ବେବ୍ସ' ଭଳି ପ୍ରସିଦ୍ଧ ଧାରାବାହିକରେ ଅଭିନୟ କରିସାରିଛନ୍ତି । ମାତ୍ର ସମାଜ ପ୍ରତି ଇଣ୍ଡଷ୍ଟ୍ରୀର ଦାୟିତ୍ୱବୋଧକୁ ଦୃଷ୍ଟିରେ ରଖି ଏଭଳି ସମ୍ବେଦନହୀନ ବିଷୟବସ୍ତୁ ଉପରେ ତୁରନ୍ତ ଲଗାମ୍ ଲଗାଇବାକୁ ସେ ଦାବି କରିଛନ୍ତି ।




