ହାଇକୋର୍ଟରେ ସଲମାନ

ହାଇକୋର୍ଟରେ ସଲମାନ
Ipsita Picture
By: Ipsita
Published On

 

ବଲିଉଡ୍ ସୁପରଷ୍ଟାର୍ ସଲମାନ ଖାନଙ୍କ ଜୀବନ ଓ ବିବାଦୀୟ କୃଷ୍ଣସାର ମୃଗ ଶିକାର ମାମଲାକୁ ନେଇ ନିର୍ମିତ ହେଉଥିବା ଚଳଚ୍ଚିତ୍ର 'କାଲା ହିରଣ: ଦ ବ୍ୟାଟେଲ ଫର୍ ଲେଗାସୀ'ର ସ୍କ୍ରିନିଂ ଏବଂ ପ୍ରମୋସନ ଉପରେ ରୋକ ଲଗାଇବାକୁ ନେଇ ଆଇନଗତ ବିବାଦ ଏବେ ଘନେଇବାରେ ଲାଗିଛି । ନିକଟରେ ଦିଲ୍ଲୀ ହାଇକୋର୍ଟ ଏହି ସିନେମାର ପ୍ରଯୋଜକ ଅମିତ ଜାନୀ, ନିର୍ଦ୍ଦେଶକ ଭାରତ ଶ୍ରୀନେତ ଏବଂ ଅନ୍ୟ ସଂପୃକ୍ତ ପକ୍ଷମାନଙ୍କୁ ନୋଟିସ୍ ଜାରି କରି ଜବାବ ମାଗିଛନ୍ତି । ଯାହାର ପରବର୍ତ୍ତୀ ଶୁଣାଣି ଜୁନ୍ ୧୯ରେ ହେବାକୁ ଦିନ ଧାର୍ଯ୍ୟ ହୋଇଛି । ସଲମାନଙ୍କ ପକ୍ଷରୁ ଦାଖଲ ଆବେଦନରେ ଦର୍ଶାଯାଇଛି ଯେ, ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ର 'ଅୟାନ'ର ଚେହେରା, ଚାଲିଚଳନ ଏବଂ ହାତରେ ପିନ୍ଧିଥିବା ନୀଳ ରଙ୍ଗର ବ୍ରେସଲେଟ୍ ସଲମାନଙ୍କ ପରିଚୟକୁ ସ୍ପଷ୍ଟ ଭାବେ ପ୍ରତିଫଳିତ କରୁଛି । ଯାହାକି ବର୍ତ୍ତମାନ ଉଚ୍ଚ ଅଦାଲତରେ ବିଚାରାଧୀନ ଥିବା ୧୯୯୮ର କୃଷ୍ଣସାର ମୃଗ ମାମଲା ଏବଂ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ପ୍ରସଙ୍ଗକୁ ଯୋଡ଼ି ଏକ ନକାରାତ୍ମକ ବାର୍ତ୍ତା ଦେବା ସହ ନିଷ୍ପକ୍ଷ ଶୁଣାଣିର ଅଧିକାରକୁ ପ୍ରଭାବିତ କରିପାରେ । ଅପରପକ୍ଷରେ, ପ୍ରଯୋଜକ ଅମିତ ଜାନୀ ନିଜର ସୋସିଆଲ ମିଡିଆରେ ସଲମାନଙ୍କ ଆଇନଗତ ନୋଟିସକୁ ଚିରି ଦେବା ସହ ତାଙ୍କୁ ବିଭିନ୍ନ ମୁସଲିମ୍ ପ୍ରଶଂସକ ଓ 'ଡି-କମ୍ପାନୀ' ନାମରେ ଜୀବନରୁ ମାରିଦେବାର ଧମକ ମିଳୁଥିବା ଅଭିଯୋଗ କରିଛନ୍ତି । ସେହିଭଳି ଏହି ଚଳଚ୍ଚିତ୍ରଟି କୌଣସି ବାୟୋପିକ ନୁହେଁ, ବରଂ ବନ୍ୟଜନ୍ତୁ ସଂରକ୍ଷଣ ପ୍ରତି ବିଷ୍ଣୋଇ ସମାଜର ସଂଘର୍ଷ ଓ ସମର୍ପଣ ଉପରେ ଆଧାରିତ ବୋଲି ସ୍ପଷ୍ଟୀକରଣ ଦେଇଛନ୍ତି । ତେବେ ଏହି ହାଇପ୍ରୋଫାଇଲ ଲଢେଇର ପରିଣାମ କଣ ହେବ ତାହାକୁନେଇ ଫ୍ୟାନମାନେ ଚାହିଁ ରହିଛନ୍ତି ।

Tags: