ଭାରତୀୟ ଲୁକରେ ରିହାନା
ବିଶ୍ୱପ୍ରସିଦ୍ଧ ପପ୍ ସିଙ୍ଗର ରିହାନା ନିଜର ମୁମ୍ବାଇ ଗସ୍ତ ପରେ ଭାରତୀୟ ଲୁକରେ ଫଟୋ ସୁଟ୍ କରି ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି । ଭାଇରାଲ ହେଉଥିବା ଏହି ଭିଡିଓରେ ରିହାନା ଏକ ସୁନ୍ଦର ସବୁଜ ଏବଂ ଗୋଲାପି ରଙ୍ଗର ଶାଢ଼ି ପିନ୍ଧିଥିବା ବେଳେ ଏହା ସହିତ ହୀରା ଓ ପନ୍ନାର ଭାରି ଅଳଙ୍କାର ପିନ୍ଧିଥିବା ଦେଖିବାକୁ ମିଳିଛି । ନିଜର ବିଉଟି ବ୍ରାଣ୍ଡର ପ୍ରଚାର ପାଇଁ ମୁମ୍ବାଇ ଆସିଥିବା ରିହାନା ରବିବାର ଦିନ ମୁକେଶ ଅମ୍ବାନୀଙ୍କ ବାସଭବନ 'ଆଣ୍ଟିଲିଆ' ପରିଦର୍ଶନ କରିଥିଲେ । ଏଠାରେ ତାଙ୍କୁ ସମ୍ପୂର୍ଣ୍ଣ ପାରମ୍ପରିକ ରୀତିରେ ସ୍ୱାଗତ କରାଯିବା ସହ ସେ ପରିବାର ସଦସ୍ୟଙ୍କ ସହ ମଧ୍ୟାହ୍ନ ଭୋଜନର ଆନନ୍ଦ ନେଇଥିଲେ । ସୂଚନାଯୋଗ୍ୟ ଯେ, ଏହା ରିହାନାଙ୍କ ଦ୍ୱିତୀୟ ଭାରତ ଗସ୍ତ ଥିଲା । ଏହାପୂର୍ବରୁ ସେ ୨୦୨୪ରେ ଜାମନଗରଠାରେ ଅନନ୍ତ ଅମ୍ବାନୀଙ୍କ ପ୍ରି-ୱେଡିଂ କାର୍ଯ୍ୟକ୍ରମରେ ପରଫର୍ମ କରି ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲେ । ସୋସିଆଲ ମିଡିଆରେ ରିହାନାଙ୍କ ଭାରତୀୟ ଲୁକକୁ ଫ୍ୟାନମାନେ ଖୁବ ଭଲପାଇବା ଦେବାରେ ଲାଗିଛନ୍ତି ।



