ଟ୍ରୋଲରଙ୍କୁ ଜବାବ
ଟେଲି ଅଭିନେତ୍ରୀ ରୁବିନା ଦିଲୈକ୍ ନିଜର ବୟସ, ଚେହେରା ଏବଂ କସମେଟିକ୍ ସର୍ଜରୀ ଗୁଜବକୁ ନେଇ ହେଉଥିବା ସୋସିଆଲ ମିଡିଆ ଟ୍ରୋଲିଂ ଉପରେ ମୁହଁ ଖୋଲିଛନ୍ତି । ନିକଟରେ ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ଅଜଣା ଲୋକମାନେ ପ୍ରାୟତଃ ତାଙ୍କ ଚେହେରାକୁ ନେଇ କଟୁ ମନ୍ତବ୍ୟ ଦେଇଥାନ୍ତି । ଏପିରିକି ସେ ବୁଢ଼ୀ ହୋଇଗଲେଣି, ଅଜବ ଦେଖାଯାଉଛନ୍ତି କିମ୍ବା ବୋଟକ୍ସ, ଫେସଲିଫ୍ଟ ସର୍ଜରୀ ଓ ବଡି ଟୋନିଂ କରିଛନ୍ତି ବୋଲି ସମାଲୋଚନା କରନ୍ତି । ରୁବିନା ସ୍ୱୀକାର କରିଛନ୍ତି ଯେ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ସବୁ ନକାରାତ୍ମକ ମନ୍ତବ୍ୟ ତାଙ୍କ ମାନସିକ ଶାନ୍ତି ଓ ଆତ୍ମବିଶ୍ୱାସକୁ ବହୁତ ପ୍ରଭାବିତ କରୁଥିଲା । ମାତ୍ର ସମୟ ସହିତ ସେ ବୁଝିପାରିଛନ୍ତି ଯେ ଅନ୍ୟମାନଙ୍କ ଚିନ୍ତାଧାରା ଉପରେ ତାଙ୍କର କୌଣସି ନିୟନ୍ତ୍ରଣ ନାହିଁ, ବରଂ ଏସବୁ ପ୍ରତି ସେ କିଭଳି ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି ତାହା ତାଙ୍କ ହାତରେ ଅଛି । ସାମାଜିକ ଗଣମାଧ୍ୟମରେ ସୌନ୍ଦର୍ଯ୍ୟର ନୂଆ ମାନଦଣ୍ଡ ଓ ସମସ୍ତେ ଏକାଭଳି ଦେଖାଯିବାର ଚାଲିଥିବା ପ୍ରତିଯୋଗିତାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଭଗବାନ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସ୍ୱତନ୍ତ୍ର ଭାବେ ଗଢ଼ିଛନ୍ତି, ତେଣୁ ସମାଜର ମାପଦଣ୍ଡରେ ନିଜକୁ ବଦଳାଇବା ଅପେକ୍ଷା ନିଜକୁ ସେହିଭଳି ଗ୍ରହଣ କରିବା ଜରୁରୀ । ନିକଟରେ ସ୍ୱାମୀ ଅଭିନବ ଶୁକ୍ଲାଙ୍କ ସହ ରିଆଲିଟି ସୋ' 'ପତି ପତ୍ନୀ ଆଉ ପଙ୍ଗା' ଜିତିବା ପରେ ରୁବିନା ବର୍ତ୍ତମାନ ରୋହିତ ଶେଟ୍ଟୀଙ୍କ ଆଗାମୀ ସୋ' 'ଖତରୋ କେ ଖିଲାଡ଼ି ୧୫' ପାଇଁ ପ୍ରସ୍ତୁତି ଚଳାଇଛନ୍ତି ।



