ପାକିସ୍ତାନରେ ରଣବୀରଙ୍କ ପୋଷ୍ଟର

ପାକିସ୍ତାନରେ ରଣବୀରଙ୍କ ପୋଷ୍ଟର
Ipsita Picture
By: Ipsita
Published On

 

ରଣବୀର କପୁରଙ୍କ ଆଗାମୀ ଚଳଚ୍ଚିତ୍ର 'ରାମାୟଣ'କୁ ନେଇ ପାକିସ୍ତାନରେ ମଧ୍ୟ ବେଶ ଉତ୍ସାହ ଦେଖିବାକୁ ମିଳିଛି । ଯାହାର ଏକ ଝଲକ କରାଚୀର ଏକ ମନ୍ଦିରରେ ଫିଲ୍ମର ପୋଷ୍ଟର ଲଗାଯିବାରୁ ସାମ୍ନାକୁ ଆସିଛି । ୟୁଟ୍ୟୁବରେ ଭାଇରାଲ ହୋଇଥିବା ଏକ ଭିଡିଓରେ ସ୍ଥାନୀୟ ହିନ୍ଦୁ ସମ୍ପ୍ରଦାୟର ଲୋକମାନେ ମନ୍ଦିରରେ "ଜୟ ଶ୍ରୀ ରାମ" ନାରା ଦେଉଥିବା ଦେଖାଯାଇଛି ।  ପ୍ରଭୁ ରାମ, ସୀତା ଓ ରାବଣ ଭୂମିକାରେ ଯଥାକ୍ରମେ ରଣବୀର କପୁର, ସାଇ ପଲ୍ଲବୀ ଓ ୟଶଙ୍କ ଚିତ୍ର ଥିବା ପୋଷ୍ଟର ମଧ୍ୟ ନଜର ଆସିଛି। ସେହିଭଳି କିଛି ଲୋକ ଫିଲ୍ମର ସଫଳତା କାମନା କରିବା ସହ ଏହା ଓସ୍କାର ଜିତିବ ବୋଲି ଆଶା ପ୍ରକାଶ କରିଛନ୍ତି । ତେବେ ପାକିସ୍ତାନରେ ଏହାକୁ ନେଇ ଚର୍ଚ୍ଚା ଚାଲିଥିଲେ ବି ସେଠାରେ ଫିଲ୍ମର ମୁକ୍ତିଲାଭ ନେଇ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ । 'ଦି ଫ୍ରି ପ୍ରେସ ଜର୍ନାଲ' ଓ 'ପାକିସ୍ତାନ ସୋବିଜ୍'ର ରିପୋର୍ଟ ଅନୁଯାୟୀ, ଦୁଇ ଦେଶ ମଧ୍ୟରେ ରାଜନୈତିକ ଓ ସାମରିକ ଉତ୍ତେଜନା ଯୋଗୁଁ ଭାରତୀୟ ଫିଲ୍ମ ଉପରେ କଟକଣା ବଳବତ୍ତର ରହିଛି। ପାକିସ୍ତାନୀ କର୍ତ୍ତୃପକ୍ଷ ନୋ-ଅବଜେକସନ ସାର୍ଟିଫିକେଟ ଦେବା ବନ୍ଦ କରିଦେଇଛନ୍ତି । ତେଣୁ ଫିଲ୍ମଟି ବିଶ୍ୱବ୍ୟାପୀ ରିଲିଜ୍ ପାଇଁ ଯୋଜନା ହୋଇଥିଲେ ବି ସବୁ ଦେଶରେ ଏହାକୁ ଅନୁମତି ମିଳିବା ନିଶ୍ଚିତ ନୁହେଁ । ସେହିଭଳି, ଅନ୍ୟପଟେ ମେକର୍ସମାନେ 'ଶୂର୍ପଣଖା' ରୂପରେ ରକୁଲ ପ୍ରୀତ ସିଂହଙ୍କ ପ୍ରଥମ ଲୁକ୍ ପୋଷ୍ଟର ଜାରି କରିଛନ୍ତି, ଯେଉଁଥିରେ ରକୁଲଙ୍କୁ ରାଜକୀୟ ପୋଷାକ, ସୁନା ଗହଣା ଓ ସ୍ୱତନ୍ତ୍ର ମୁକୁଟ ପିନ୍ଧିଥିବାର ଦେଖିବାକୁ ମିଳିଛି । ତେବେ ଫିଲ୍ମକୁ ନେଇ ଭାରତରେ କ୍ରେଜ ଥିବାବେଳେ ପାକିସ୍ତାନର କ୍ରେଜ ବର୍ତ୍ତମାନର ଚର୍ଚ୍ଚାର ବିଷୟ ପାଲଟିଛି ।

Tags: