ରାମଚରଣଙ୍କ ଧନ୍ୟବାଦ
ମେଗାଷ୍ଟାର୍ ରାମ ଚରଣଙ୍କ ଅଭିନୀତ ବହୁପ୍ରତୀକ୍ଷିତ ସ୍ପୋର୍ଟସ-ଆକ୍ସନ ଡ୍ରାମା ଚଳଚ୍ଚିତ୍ର 'ପେଦ୍ଦି' ଆସନ୍ତା ଜୁନ୍ ୪, ୨୦୨୬ରେ ମୁକ୍ତିଲାଭ କରିବାକୁ ଯାଉଛି । ତେବେ ଏହାର ଟ୍ରେଲର ଉନ୍ମୋଚନ କାର୍ଯ୍ୟକ୍ରମରେ ରାମ ଚରଣ ବଲିଉଡ୍ ସୁପରଷ୍ଟାର୍ ସଲମାନ ଖାନ ଓ ଆମିର ଖାନଙ୍କୁ ବିଶେଷ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଯେ 'ସୁଲତାନ' ଏବଂ 'ଦଙ୍ଗଲ' ଭଳି ସିନେମା ଜରିଆରେ ସେମାନେ ଏହି ଶୈଳୀର ଚଳଚ୍ଚିତ୍ର ପାଇଁ ପଥ ପ୍ରଦର୍ଶନ କରିଥିଲେ, ଯାହା ସେମାନଙ୍କୁ 'ପେଦ୍ଦି' ନିର୍ମାଣ କରିବା ପାଇଁ ବହୁତ ଆତ୍ମବିଶ୍ୱାସ ଦେଇଥିଲା । ଏହି ଚଳଚ୍ଚିତ୍ରଟି ଜଣେ ଯୁବକର ଆଧ୍ୟାତ୍ମିକ ଓ ଶାରୀରିକ ସଂଘର୍ଷ ତଥା ନିଜର ପରିଚୟ ସୃଷ୍ଟି କରିବାର ଏକ ନିଷ୍ଠାପର କାହାଣୀ ଉପରେ ଆଧାରିତ । ସେହିଭଳି ଏହା ତାଙ୍କ ଜୀବନର ସବୁଠାରୁ ପ୍ରେରଣାଦାୟୀ ସିନେମା । କ୍ରିକେଟ୍, କୁସ୍ତି ଏବଂ ଦୌଡ଼ ପ୍ରତିଯୋଗିତାରେ ପାରଙ୍ଗମ ହୋଇ ନିଜ ଗାଁରେ ଜଣେ କିମ୍ବଦନ୍ତୀ ପାଲଟିଥିବା ଜଣେ ଯୁବକର ଆତ୍ମ-ସମୀକ୍ଷାର କାହାଣୀକୁ ନେଇ ଫିଲ୍ମଟି ନିର୍ମାଣ ହୋଇଛି । ଏଥିରେ ଜାହ୍ନବୀ କପୁର, ଶିବ ରାଜକୁମାର, ଦିବ୍ୟେନ୍ଦୁ, ବୋମାନ ଇରାନୀ ଏବଂ ଜଗପତି ବାବୁ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି ।



