ଆୟକର ରେଡକୁ ରକୁଲଙ୍କ ଖଣ୍ଡନ
ବଲିଉଡ୍ ଅଭିନେତ୍ରୀ ରକୁଲ ପ୍ରୀତ ସିଂହ ନିଜ ବାସଭବନରେ ଆୟକର ବିଭାଗ ଚଢ଼ାଉ କରିଥିବା ନେଇ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଦୃଢ଼ ଭାବେ ଖଣ୍ଡନ କରିଛନ୍ତି । ଏହାକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ଉଦ୍ଦେଶ୍ୟମୂଳକ ବୋଲି ସେ ମତ ରଖିଛନ୍ତି । ନିକଟରେ ଚଳଚ୍ଚିତ୍ର ଇନଭେଷ୍ଟମେଣ୍ଟ ଓ ବେଆଇନ ବୈଦେଶିକ କାରବାର ଅଭିଯୋଗକୁ ନେଇ ରକୁଲ ଓ ତାଙ୍କ ଶ୍ୱଶୁର ତଥା ପ୍ରଖ୍ୟାତ ପ୍ରଯୋଜକ ବାସୁ ଭଗନାନୀଙ୍କ ସହ ଜଡ଼ିତ ୧୨ଟି ସ୍ଥାନରେ ଆୟକର ଚଢ଼ାଉ ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ସୋସିଆଲ ମିଡିଆରେ ପୋଷ୍ଟ କରି ରକୁଲ ସ୍ପଷ୍ଟ କରିଛନ୍ତି ଯେ ଏହି ତଦନ୍ତ କିମ୍ବା ଚଢ଼ାଉ ସହ ତାଙ୍କର କୌଣସି ସମ୍ପର୍କ ନାହିଁ। ସତକଣ ନଜାଣି କେବଳ ସେନ୍ସେସନ୍ ପାଇଁ ଏଭଳି ଗୁଜବ ପ୍ରଚାର କରାଯାଉଥିବାରୁ ଗଣମାଧ୍ୟମର ଦାୟିତ୍ୱହୀନତାକୁ କଡ଼ା ଭାଷାରେ ସେ ସମାଲୋଚନା କରିଛନ୍ତି । ସେ ୨୦ ବର୍ଷ ବୟସରୁ ଜଣେ ଦାୟିତ୍ୱବାନ୍ ନାଗରିକ ଭାବେ ନିୟମିତ କର ପରିଶୋଧ କରି ନିଜ ପରିଶ୍ରମ ବଳରେ ଏଠାରେ ପହଞ୍ଚିଛନ୍ତି ବୋଲି ରକୁଲ ମତ ଦେଇଛନ୍ତି । କୌଣସି ବେଆଇନ ଆର୍ଥିକ କାରବାର, ବେନାମୀ ସମ୍ପତ୍ତି କିମ୍ବା ମୂଲ୍ୟବାନ୍ ଉପହାର କାରବାରରେ ସେ ଆଦୌ ସଂପୃକ୍ତ ନୁହନ୍ତି ବୋଲି ସ୍ପଷ୍ଟ କରିଛନ୍ତି । ଏହାସହ ବ୍ୟବସାୟିକ ଚାପ ଆଳରେ କାହାର ପ୍ରତିଷ୍ଠା ଓ ଜୀବିକାକୁ ଆଘାତ ନପହଞ୍ଚାଇବାକୁ ସେ ଗଣମାଧ୍ୟମଗୁଡ଼ିକୁ ନିବେଦନ କରିଛନ୍ତି। ଅନ୍ୟପଟେ, ପୂର୍ବରୁ ସୁଶାନ୍ତ ସିଂହ ରାଜପୁତ ମାମଲା, ଟଲିଉଡ୍ ଡ୍ରଗ୍ସ ମାମଲାରେ ଇଡିର ପଚରାଉଚରା ଏବଂ ନିକଟରେ ୨୦୨୫ ଡିସେମ୍ବରରେ ତାଙ୍କ ଭାଇ ଅମନ ପ୍ରୀତ ସିଂହଙ୍କ ଡ୍ରଗ୍ସ ମାମଲାରେ ଗିରଫଦାରୀ ପରି ବିବାଦ ସହ ତାଙ୍କ ନାମ ଯୋଡ଼ି ହୋଇଥିବା ଦେଖିବାକୁ ମିଳିଥିଲା । ବର୍ତ୍ତମାନର ଆୟକର ଚଢ଼ାଉ ଖବରକୁ ସେ ସମ୍ପୂର୍ଣ୍ଣ ଗୁଜବ ବୋଲି ଦର୍ଶାଇଛନ୍ତି ।




