ପହିଲି ରଜ

ପହିଲି ରଜ
Ipsita Picture
By: Ipsita
Published On

 

ଓଡ଼ିଶାର ଗଣପର୍ବ ତଥା କୃଷି ଓ ନାରୀତ୍ୱର ଅନନ୍ୟ ଗାଥା ବହନ କରୁଥିବା ତିନିଦିନିଆ ଗଣପର୍ବ 'ରଜ' ଆଜିଠାରୁ ସାରା ରାଜ୍ୟରେ ବେଶ୍ ହର୍ଷଉଲ୍ଲାସର ସହ ଆରମ୍ଭ ହୋଇଯାଇଛି । ଯାହାର ପ୍ରଥମ ଦିବସକୁ 'ପହିଲି ରଜ' ଭାବେ ବଡ଼ ଧୂମଧାମରେ ପାଳନ କରାଯାଉଛି । ବିଶ୍ୱାସ କରାଯାଏ ଯେ ଏହି ଦିନଠାରୁ ବସୁଧା ମାତା ରଜସ୍ୱଳା ହୁଅନ୍ତି, ତେଣୁ ଆଗାମୀ ଭଲ ଫସଲ ଆଶାରେ ଏହି ତିନିଦିନ ପାଇଁ ଧରିତ୍ରୀ ମାତାଙ୍କୁ ପୂର୍ଣ୍ଣ ବିଶ୍ରାମ ଦିଆଯିବା ସହ ସମସ୍ତ ପ୍ରକାର କୃଷି କାର୍ଯ୍ୟ ଓ ଖୋଳାଖୋଳି ବନ୍ଦ ରଖାଯାଏ । ବିଶେଷ କରି କୁମାରୀ କନ୍ୟାମାନଙ୍କ ପାଇଁ ପହିଲି ରଜ ସବୁଠାରୁ ଆକର୍ଷଣୀୟ ହୋଇଥାଏ । ଏହି ଦିନ ସେମାନେ ପ୍ରତ୍ୟୁଷରୁ ଶଯ୍ୟା ତ୍ୟାଗ କରି ସ୍ନାନ ସାରି ନୂଆ ପୋଷାକ, ମଥାରେ ଚନ୍ଦନ, ଅଳତା ଓ ସିନ୍ଦୂର ପିନ୍ଧି ସଜବାଜ ହୋଇଥାନ୍ତି । ଏହାସହ ପହିଲି ରଜର ବିଧି ଅନୁଯାୟୀ ଖାଲି ପାଦରେ ଭୂମି ସ୍ପର୍ଶ ନକରି ଗୁଆ ଚିରା ବା କଦଳୀ ପଟୁଆରେ ଚପଲ ସଦୃଶ ପିନ୍ଧି ଚଳପ୍ରଚଳ କରନ୍ତି । ଗାଁଠୁ ସହର ସବୁଠି ରଜ ଦୋଳିର ମଜା ସାଙ୍ଗକୁ ପାରମ୍ପରିକ ରଜ ଗୀତର ସୁମଧୁର ସ୍ୱର ପରିବେଶକୁ ଆହୁରି ଉତ୍ସବମୁଖର କରିଦିଏ । ଏହା ସହିତ ଘରେ ଘରେ ସୁଆଦିଆ ପୋଡ଼ପିଠା, ଚକୁଳି, ମଣ୍ଡା ଏବଂ ବିଭିନ୍ନ ପ୍ରକାରର ପିଠାପଣାର ମହକ ଛୁଟିବା ସହ ସାଙ୍ଗସାଥୀଙ୍କ ମଧ୍ୟରେ ମିଠା ରଜପାନ ବଣ୍ଟନର ପରମ୍ପରା ଏହି ପର୍ବର ଆନନ୍ଦକୁ ଦ୍ୱିଗୁଣିତ କରିଥାଏ । ଯାହା ଆମ ଓଡ଼ିଆ ସଂସ୍କୃତିର ଭ୍ରାତୃଭାବ ଓ ସାମାଜିକ ସଂହତିର ଏକ ଜ୍ୱଳନ୍ତ ଉଦାହରଣ ।

Tags: