ପୁନମଙ୍କ ଚେତାବନୀ
ସିନେ ଆଣ୍ଡ ଟିଭି ଆର୍ଟିଷ୍ଟସ ଆସୋସିଏସନର କାର୍ଯ୍ୟକାରୀ କମିଟିରୁ ୮ ଜଣ ନିର୍ବାଚିତ ସଦସ୍ୟଙ୍କ ସମେତ ମୋଟ ୧୧ ଜଣ ସଦସ୍ୟ ଏକାସାଙ୍ଗରେ ଇସ୍ତଫା ଦେବା ଏବଂ ବର୍ତ୍ତମାନର ନେତୃତ୍ୱ ଉପରେ ଗମ୍ଭୀର ଅଭିଯୋଗ ଆଣିବା ଘଟଣା ବଲିଉଡରେ ଏକ ବଡ଼ ବିବାଦ ସୃଷ୍ଟି କରିଛି । ଇସ୍ତଫା ଦେଇଥିବା ସଦସ୍ୟ ହେମନ୍ତ ପାଣ୍ଡେ, ମୁକେଶ ଋଷି, ସାହିଲା ଚଡ୍ଡା, ହେତଲ ପରମାର, ପୁନୀତ ଇସର, ବିନ୍ଦୁ ଦାରା ସିଂ, ବିକାଶ ବର୍ମା ଓ ଦୀପକ ପାରାଶର ଅଭିଯୋଗ କରିଛନ୍ତି ଯେ ଅଧ୍ୟକ୍ଷା ପୁନମ୍ ଢିଲୋନ୍ ଏବଂ ବରିଷ୍ଠ ଉପାଧ୍ୟକ୍ଷା ପଦ୍ମିନୀ କୋଲ୍ହାପୁରେ କମିଟିର ଆଲୋଚନା କିମ୍ବା ମଞ୍ଜୁରୀ ବିନା ଏକଚାଟିଆ ଭାବେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଉଛନ୍ତି । ନିଜର ବ୍ୟକ୍ତିଗତ ଆଇଡିରୁ ସରକାରୀ ଅଧିକାରୀଙ୍କ ସହ ଯୋଗାଯୋଗ କରୁଛନ୍ତି ଏବଂ ସଂଗଠନର ନିୟମାବଳୀକୁ ଉଲ୍ଲଂଘନ କରୁଛନ୍ତି । ଯାହା ଫଳରେ ସେମାନେ ନୂତନ ନିର୍ବାଚନ ଦାବି କରିଛନ୍ତି । ସାଧାରଣ ସମ୍ପାଦିକା ଉପାସନା ସିଂହ ମଧ୍ୟ କ୍ଷମତାର ଅପବ୍ୟବହାର ଓ ସ୍ୱଚ୍ଛତାର ଅଭାବ ନେଇ ଏହି ଅଭିଯୋଗକୁ ନିଶ୍ଚିତ କରିଛନ୍ତି । ଅପରପକ୍ଷରେ, ଏହି ସମସ୍ତ ଅଭିଯୋଗକୁ ସମ୍ପୂର୍ଣ୍ଣ ଆପତ୍ତିଜନକ ଓ ଭିତ୍ତିହୀନ ବୋଲି କହି ପ୍ରତ୍ୟାଖ୍ୟାନ କରିଛନ୍ତି ପୁନମ୍ ଢିଲୋନ୍ । ସେ ସ୍ପଷ୍ଟ କରିଛନ୍ତି ଯେ ୪୨ ବର୍ଷର କ୍ୟାରିୟର ପରେ ସଂଗଠନ ସହ ବିଶ୍ୱାସଘାତକତା କରିବାର ପ୍ରଶ୍ନ ହିଁ ଉଠୁନାହିଁ । ନିକଟରେ ଚାରୋଟି କାର୍ଯ୍ୟକ୍ରମ ମାଧ୍ୟମରେ ସଂଗଠନ ପାଇଁ ୧ କୋଟି ଟଙ୍କାର ପାଣ୍ଠି ସଂଗ୍ରହ କରାଯାଇଛି । ତେବେ ବିନା ଫି’ରେ ପ୍ରଦର୍ଶନ କରିଥିବା କବିତା କୃଷ୍ଣମୂର୍ତ୍ତି, ମଧୁଶ୍ରୀ ଓ ନିତିନ ମୁକେଶଙ୍କ ଭଳି କଳାକାରଙ୍କୁ ସମ୍ମାନାର୍ଥ ସାଢ଼ୀ ଓ କୁର୍ତ୍ତା ଉପହାର ଦେବାକୁ ନେଇ କିଛି ସଦସ୍ୟ ଅନାବଶ୍ୟକ ବିବାଦ ଛିଡ଼ା କରୁଛନ୍ତି । ସିନେ ଆର୍ଟିଷ୍ଟସ ୱେଲଫେୟାର ଟ୍ରଷ୍ଟ ଉପରେ କବଜା କରିବାରେ ବିଫଳ ହେବାରୁ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ଏହି ଷଡଯନ୍ତ୍ର କରୁଛନ୍ତି ବୋଲି ସେ ପାଲଟା ଅଭିଯୋଗ କରିଛନ୍ତି । ସେହିଭଳି ନିଜର ଆତ୍ମସମ୍ମାନ ଓ ସୁନାମ ରକ୍ଷା ପାଇଁ ମାନହାନି ମୋକମଦ୍ଦମା କରିବାର ଆଇନଗତ ବିକଳ୍ପ ମଧ୍ୟ ରହିଛି ବୋଲି ପୁନମ ଚେତାବନୀ ଦେଇଛନ୍ତି ।




