ବାଜି ମାରିଲେ ପିସି
ଫର୍ଚ୍ୟୁନ୍ ଇଣ୍ଡିଆ ଏବଂ ଇଣ୍ଟରବ୍ରାଣ୍ଡ୍ ପକ୍ଷରୁ ଦେଶର ୨୫ ଜଣ ସବୁଠାରୁ ମୂଲ୍ୟବାନ ସେଲିବ୍ରିଟିଙ୍କୁ ନେଇ ଏକ ସ୍ୱତନ୍ତ୍ର ଗବେଷଣାତ୍ମକ ରିପୋର୍ଟ ପ୍ରକାଶ ପାଇଛି । ଏଥିରେ ବିରାଟ କୋହଲି ୩,୫୪୨ କୋଟି ଟଙ୍କାର ବ୍ରାଣ୍ଡ୍ ଭାଲ୍ୟୁ ସହ ଭାରତର ସବୁଠାରୁ ମୂଲ୍ୟବାନ ବ୍ୟକ୍ତିତ୍ୱ ଭାବେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ବଲିଉଡର ବାଦଶାହା ଶାହରୁଖ ଖାନ ଦ୍ୱିତୀୟ ଏବଂ ଗ୍ଲୋବାଲ ଆଇକନ ପ୍ରିୟଙ୍କା ଚୋପ୍ରା ଜୋନସ ତୃତୀୟ ସ୍ଥାନରେ ରହି ମହିଳା ସେଲିବ୍ରିଟିଙ୍କ ମଧ୍ୟରେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ସମସ୍ତ ଅଭିନେତ୍ରୀଙ୍କୁ ପଛରେ ପକାଇ ବାଜି ମାରିଛନ୍ତି ପିସି । ଏହି ପ୍ରତିଷ୍ଠିତ ତାଲିକାର ଶୀର୍ଷ ୧୦ ମଧ୍ୟରେ ୩ ଜଣ କ୍ରିକେଟର ଏବଂ ୭ ଜଣ ଚଳଚ୍ଚିତ୍ର ତାରକା ସ୍ଥାନ ପାଇଛନ୍ତି । ମୋଟ ୨୫ ଜଣଙ୍କ ମଧ୍ୟରେ ଅଭିନେତ୍ରୀ ଦୀପିକା ପାଦୁକୋନ (୧୧ତମ ସ୍ଥାନ), ରଶ୍ମିକା ମନ୍ଦାନା (୧୭ତମ ସ୍ଥାନ), କୃତି ସାନନ, ଦକ୍ଷିଣ ଭାରତୀୟ ସୁପରଷ୍ଟାର ନୟନତାରା ଏବଂ ଭାରତୀୟ ମହିଳା କ୍ରିକେଟର ସ୍ମୃତି ମନ୍ଧାନାଙ୍କ ସମେତ ଚର୍ଚ୍ଚିତ କଳାକାର ଦିଲଜିତ ଦୋସାଞ୍ଜ, କରନ ଜୋହର, ସୌରଭ ଗାଙ୍ଗୁଲି ଓ ବିକ୍କି କୌଶଲଙ୍କ ଭଳି ପ୍ରମୁଖ ବ୍ୟକ୍ତିତ୍ୱ ସାମିଲ ଅଛନ୍ତି । ବିଶେଷ କଥା ହେଉଛି, ଏହି ଅଧ୍ୟୟନରେ କେବଳ ସେଲିବ୍ରିଟିଙ୍କ ଆୟ, ସୋସିଆଲ ମିଡିଆ ଫଲୋଅର୍ସ କିମ୍ବା ବକ୍ସ ଅଫିସ୍ ସଫଳତାକୁ ଆଧାର କରାଯାଇ ନାହିଁ, ବରଂ ଜନସାଧାରଣଙ୍କ ସହ ନିବିଡ଼ ସଂଯୋଗ, ବିଶ୍ୱସନୀୟତା, ଆତ୍ମୀୟତା ଏବଂ ଦାୟିତ୍ୱବୋଧ ଭଳି ମାନଦଣ୍ଡକୁ ଗଭୀର ଭାବେ ପରଖି ଏହି ଚୂଡ଼ାନ୍ତ ବ୍ରାଣ୍ଡ ଭାଲ୍ୟୁ ସ୍ଥିର କରାଯାଇଛି ।



