ପ୍ରୀତିଙ୍କ ରାଗ
ପ୍ରୀତି ଜିଣ୍ଟା ତାଙ୍କର ପ୍ରତ୍ୟାବର୍ତ୍ତନ ଫିଲ୍ମ ‘ବଣ୍ଟୱାରା ୧୯୪୭’ର ପ୍ରମୋସନ୍ ସମୟରେ ଅଭିନେତା ଆମିର ଖାନଙ୍କୁ ଅଣଦେଖା କରିଥିବା ନେଇ ସୋସିଆଲ ମିଡିଆରେ ଚାଲିଥିବା ଚର୍ଚ୍ଚାକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି ପ୍ରିତି ଜିଣ୍ଟା । ଏହାସହ ଏହାକୁ ଏକ ଶସ୍ତା ‘କ୍ଲିକ୍ବେଟ୍ କଣ୍ଟେଣ୍ଟ’ ବୋଲି ଆଖ୍ୟା ଦେଇଛନ୍ତି । ପ୍ରକୃତରେ ଏକ ପାପାରାଜି ପେଜ୍ ପକ୍ଷରୁ ସେୟାର କରାଯାଇଥିବା ଭିଡିଓରେ ପ୍ରୀତି ଭାନିଟି ଭ୍ୟାନରୁ ବାହାରି ଫଟୋଗ୍ରାଫରମାନଙ୍କୁ ରାସ୍ତା ପଚାରି ଅନ୍ୟ ଦିଗକୁ ଚାଲିଯାଉଥିବା ଦେଖାଯାଇଥିଲା । ଯେଉଁଠାରେ ନିକଟରେ ଛିଡ଼ା ହୋଇଥିବା ପ୍ରଯୋଜକ ଆମିର ଖାନ୍ଙ୍କ ଉପରେ ତାଙ୍କର ନଜର ପଡ଼ିନଥିଲା । ଏହି ଭିଡିଓକୁ ନେଇ ଫ୍ୟାନମାନେ ଦୁଇ କଳାକାରଙ୍କ ମଧ୍ୟରେ ମନୋମାଳିନ୍ୟ ଥିବା ନେଇ କଳ୍ପନାଜଳ୍ପନା ଆରମ୍ଭ କରିଦେଇଥିଲେ । ଏହାର କଡ଼ା ଜବାବ ଦେଇ ପ୍ରୀତି ସ୍ପଷ୍ଟ କରିଛନ୍ତି ଯେ, ସେହି ସମୟରେ ସେ ଶୁଟିଂ ଶେଷ କରି ଫ୍ଲାଇଟ୍ ଧରିବାର ବ୍ୟସ୍ତତା ମଧ୍ୟରେ ଥିବାରୁ ଆମିରଙ୍କୁ ଦେଖିପାରିନଥିଲେ । ଆମିରଙ୍କ ପ୍ରତି ତାଙ୍କର ଭଲପାଇବା ଓ ସମ୍ମାନ ରହିଛି । ଅନୁଚିତ ନକାରାତ୍ମକତା ପ୍ରସାର ନକରିବାକୁ ସେ ଚେତାବନୀ ଦେଇଥିଲେ । ଦୀର୍ଘ ୮ ବର୍ଷ ପରେ ବଡ଼ ପରଦାକୁ ଫେରୁଥିବା ପ୍ରୀତିଙ୍କ ଏହି ଚଳଚ୍ଚିତ୍ର ‘ବଣ୍ଟୱାରା ୧୯୪୭’କୁ ରାଜକୁମାର ସନ୍ତୋଷୀ ନିର୍ଦ୍ଦେଶନା ଦେଇଛନ୍ତି, ଯେଉଁଥିରେ ସନ୍ନି ଦେଓଲ, ଶବାନା ଆଜମୀ ଓ ଅଲି ଫଜଲ ପ୍ରମୁଖ ଅଭିନୟ କରିଛନ୍ତି । ଭାରତ ବିଭାଜନର ପୃଷ୍ଠଭୂମିରେ ଆଧାରିତ ଏହି ଫିଲ୍ମଟି ଆସନ୍ତା ୧୪ ଅଗଷ୍ଟ ୨୦୨୬ରେ ମୁକ୍ତିଲାଭ କରିବାକୁ ଯାଉଛି ।




