ପିସିଙ୍କ ପ୍ରଶଂସା
ପ୍ରିୟଙ୍କା ଚୋପ୍ରା ଏବେ ବଲିଉଡର ସୁପରହିଟ୍ ଫିଲ୍ମ 'ଧୁରନ୍ଧର: ଦ ରିଭେଞ୍ଜ'ର ସଫଳତାକୁ ନେଇ ବେଶ୍ ଉତ୍ସାହିତ ଥିବା ଜଣାପଡିଛି । ନିଜର ଆଗାମୀ ଚଳଚ୍ଚିତ୍ର 'ବାରାଣସୀ'ର ସୁଟିଂ ଏବଂ 'ଦ ବ୍ଲଫ୍'ର ପ୍ରମୋଶନ ପାଇଁ ଭାରତରେ ଅଛନ୍ତି ପିସି । ଏହାରି ଭିତରେ ସେ ରଣବୀର ସିଂଙ୍କୁ ପ୍ରଶଂସା କରୁଥିବା ନଜରକୁ ଆସିଛି । ନିଜ ଇନଷ୍ଟାଗ୍ରାମ ଷ୍ଟୋରି ମାଧ୍ୟମରେ ଫିଲ୍ମର ପୋଷ୍ଟର ସେୟାର କରି ପ୍ରିୟଙ୍କା ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କ ସମେତ ଅଭିନେତା ରଣବୀର ସିଂ, ଅର୍ଜୁନ ରାମପାଲ, ଆର. ମାଧବନ ଓ ସଞ୍ଜୟ ଦତ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଆଦିତ୍ୟ ଧରଙ୍କୁ ଜଣେ ଲକ୍ଷ୍ୟଧାରୀ ବ୍ୟକ୍ତି ଭାବେ ବର୍ଣ୍ଣନା କରିବା ସହ 'ଧୁରନ୍ଧର' ଚଳଚ୍ଚିତ୍ରକୁ ସେ ଏକ "ରିଭୋଲେସନ" ବୋଲି କହି ସମସ୍ତ କଳାକାରଙ୍କୁ ପ୍ରଶଂସା କରିଛନ୍ତି । ସୂଚନାଯୋଗ୍ୟ ଯେ, ରଣବୀର ଓ ପ୍ରିୟଙ୍କା ପୂର୍ବରୁ 'ବାଜିରାଓ ମସ୍ତାନୀ' ଓ 'ଗୁଣ୍ଡେ' ଭଳି ଅନେକ ଫିଲ୍ମରେ ଏକାଠି କାମ କରି ସାରିଛନ୍ତି । ଅନ୍ୟପଟେ ପ୍ରିୟଙ୍କାଙ୍କୁ ଖୁବଶୀଘ୍ର ଏସ.ଏସ. ରାଜାମୌଲିଙ୍କ ବହୁପ୍ରତିକ୍ଷିତ ଚଳଚ୍ଚିତ୍ର 'ବାରାଣସୀ'ରେ ମହେଶ ବାବୁଙ୍କ ସହ ଦେଖିବାକୁ ମିଳିବ, ଯାହାର ସୁଟିଂ ଆସନ୍ତା ଜୁନ୍ ୨୦୨୬ ସୁଦ୍ଧା ଶେଷ ହେବାକୁ ଯାଉଛି ।



