ଓସ୍କାର @ ୨୬
ହଲିଉଡର ସବୁଠାରୁ ପ୍ରତିଷ୍ଠିତ ପୁରସ୍କାର ‘୯୮ତମ ଏକାଡେମୀ ଆୱାର୍ଡ୍ସ’ ବା ଓସ୍କାର ଆୱାର୍ଡ ଆମେରିକାର ଲସ୍ ଆଞ୍ଜେଲସ୍ ସ୍ଥିତ ପ୍ରସିଦ୍ଧ ‘ଡଲ୍ବି ଥିଏଟର’ରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଏହି ଉତ୍ସବରେ ବହୁ ବଡ଼ ବଡ଼ ଚଳଚ୍ଚିତ୍ର ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା । ଲିଓନାର୍ଡୋ ଡିକାପ୍ରିଓଙ୍କ ଅଭିନୀତ ଚଳଚ୍ଚିତ୍ର ‘ୱାନ ବ୍ୟାଟେଲ ଆଫ୍ଟର ଆନଦର’ ଚଳିତ ବର୍ଷର ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ବିବେଚିତ ହୋଇଛି । ଏହି ଚଳଚ୍ଚିତ୍ରଟି ସର୍ବାଧିକ ୬ଟି ବିଭାଗରେ ପୁରସ୍କାର ହାସଲ କରି ଚଳିତ ବର୍ଷର ସବୁଠାରୁ ସଫଳ ଫିଲ୍ମ ସାବ୍ୟସ୍ତ ହୋଇଛି ।
ମାଇକେଲ ବି. ଜର୍ଡାନ ଶ୍ରେଷ୍ଠ ଅଭିନେତା
ଅଭିନୟ କ୍ଷେତ୍ରରେ ଚଳିତ ବର୍ଷ ମାଇକେଲ ବି. ଜର୍ଡାନ ନିଜର ଜଲୱା ଦେଖାଇଛନ୍ତି । ଚଳିତ ବର୍ଷର ଚର୍ଚ୍ଚିତ ଚଳଚ୍ଚିତ୍ର ‘ସିନର୍ସ’ ପାଇଁ ତାଙ୍କୁ ‘ଶ୍ରେଷ୍ଠ ଅଭିନେତା’ ପୁରସ୍କାର ପ୍ରଦାନ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଏହି ବର୍ଗରେ ହଲିଉଡର ଦିଗଜ ଅଭିନେତା ଲିଓନାର୍ଡୋ ଡିକାପ୍ରିଓ ମଧ୍ୟ ମନୋନୀତ ହୋଇଥିଲେ, କିନ୍ତୁ ମାଇକେଲ ସମସ୍ତଙ୍କୁ ପଛରେ ପକାଇ ଏହି ସମ୍ମାନଜନକ ଟ୍ରଫି ନିଜ ନାମରେ କରିଛନ୍ତି ।
ଜେସି ବକଲେ ଶ୍ରେଷ୍ଠ ଅଭିନେତ୍ରୀ
ସେହିପରି ଚଳଚ୍ଚିତ୍ର ‘ହେମନେଟ’ ପାଇଁ ଜେସି ବକଲେଙ୍କୁ ‘ଶ୍ରେଷ୍ଠ ଅଭିନେତ୍ରୀ’ ଭାବେ ପୁରସ୍କୃତ କରାଯାଇଛି । ଏହି ଫିଲ୍ମରେ ସେ ବିଶ୍ୱପ୍ରସିଦ୍ଧ ଲେଖକ ୱିଲିୟମ ସେକ୍ସପିୟରଙ୍କ ପତ୍ନୀ ‘ଏଗ୍ନେସ’ଙ୍କ ଭୂମିକାରେ ଅତି ଜୀବନ୍ତ ଅଭିନୟ କରିଛନ୍ତି । ଜେସିଙ୍କ ଏହି ଚରିତ୍ରଟି ନିଜର ୧୧ ବର୍ଷର ପୁଅ ‘ହେମନେଟ’ର ମୃତ୍ୟୁ ପରେ ସେହି ଶୋକ ଏବଂ ଦୁଃଖରୁ ମୁକୁଳିବା ପାଇଁ କରୁଥିବା ସଂଘର୍ଷ ଉପରେ ଆଧାରିତ, ଯାହାକୁ ଦର୍ଶକ ଓ ସମୀକ୍ଷକମାନେ ବହୁତ ପସନ୍ଦ କରିଛନ୍ତି ।



