ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ମେରିକମ

ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ମେରିକମ
Ipsita Picture
By: Ipsita
Published On

 

ଭାରତୀୟ ବକ୍ସିଂ କିମ୍ବଦନ୍ତୀ ମେରି କମ୍ ଏବଂ ତାଙ୍କ ପୂର୍ବତନ ସ୍ୱାମୀ କାରୁଙ୍ଗ ଓନ୍ଖୋଲର କମ୍ (ଓନ୍ଲର)ଙ୍କ ଦୀର୍ଘ ଦୁଇ ଦଶନ୍ଧିର ବୈବାହିକ ସମ୍ପର୍କର ଅନ୍ତ ଘଟିବା ସହ ସେମାନଙ୍କ ବିଚ୍ଛେଦକୁ ନେଇ ଚର୍ଚ୍ଚା ଜୋର ଧରିଛି । ୨୦୦୦ ମସିହାରେ ନୂଆଦିଲ୍ଲୀରେ ଭେଟ ହେବା ପରେ ୨୦୦୫ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ଏହି ଦମ୍ପତିଙ୍କର ଚାରୋଟି ସନ୍ତାନ ଅଛନ୍ତି । ମେରୀଙ୍କ ସଫଳ ବକ୍ସିଂ କ୍ୟାରିୟର ପଛରେ ଓନ୍ଲରଙ୍କ ଗୁରୁତ୍ୱପୂର୍ଣ୍ଣ ସହଯୋଗ ରହିଥିବା କଥା ପୂର୍ବରୁ ମେରୀ ଅନେକ ସମୟରେ ପ୍ରକାଶ କରିଥିଲେ । ମାତ୍ର ପରିବାରର ବରିଷ୍ଠ ସଦସ୍ୟ ଓ କ୍ଲାନ୍ ନେତାମାନଙ୍କ ଉପସ୍ଥିତିରେ 'କମ୍' ପାରମ୍ପରିକ ରୀତିନୀତି ଅନୁଯାୟୀ ୨୦୨୩ ଦିସେମ୍ବର ୨୦ରେ ସେମାନଙ୍କର ଆପୋଷ ସହମତିରେ ବିବାହ ବିଚ୍ଛେଦ ଚୂଡ଼ାନ୍ତ ହୋଇଥିଲା । ବିଚ୍ଛେଦ ପରେ ମେରିକମ୍ ଏବଂ ପୂର୍ବତନ ଜାତୀୟ ସ୍ତରର କ୍ରିକେଟର, ହିତେଶ ଚୌଧୁରୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ନେଇ ଓନ୍ଲର ଅଭିଯୋଗ ଆଣିଥିଲେ । ହିତେଶ, 'ମେରିକମ ବକ୍ସିଂ ଫାଉଣ୍ଡେସନ୍'ର ଅଧ୍ୟକ୍ଷ ଏବଂ ସେମାନଙ୍କ ଯୌଥ ଉଦ୍ୟୋଗର ସିଇଓ ତଥା ପ୍ରବନ୍ଧ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଅଛନ୍ତି । ଗ୍ଲୋବାଲ୍ ବକ୍ସିଂ ସିରିଜ୍ ଏବଂ ବିଭିନ୍ନ କ୍ରୀଡ଼ା ପ୍ରୋତ୍ସାହନ କାର୍ଯ୍ୟକ୍ରମରେ ମେରୀ ଓ ହିତେଶଙ୍କୁ ଏକାଠି ଦେଖିବାକୁ ମିଳିବା ପରେ ସୋସିଆଲ ମିଡିଆରେ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା । ମାତ୍ର ମେରୀ ଏକ ସରକାରୀ ବିବୃତି ମାଧ୍ୟମରେ ଏହି ସମସ୍ତ ଗୁଜବକୁ ସମ୍ପୂର୍ଣ୍ଣ ଖଣ୍ଡନ କରିବା ସହ ହିତେଶଙ୍କ ସହ ତାଙ୍କର ସମ୍ପର୍କ କେବଳ ବ୍ୟାବସାୟିକ ଓ ପେଷାଦାର ସ୍ତରରେ ସୀମିତ ବୋଲି ସ୍ପଷ୍ଟ କରିଛନ୍ତି । ହେଲେ ବର୍ତ୍ତମାନ ମେରୀ ରିଆଲିଟି ଶୋ ବିଗବସରେ ଭାଗନେବା ପରେ ଏ ସମସ୍ତ ଆଲୋଚନା ପୁଣି ଫେରିଛି । ସୋସିଆଲ ମିଡିଆରେ ପୁଣି ମେରୀଙ୍କ ବ୍ୟକ୍ତିଗତ ଜୀବନ ଚର୍ଚ୍ଚାର ପରିସରକୁ ଆସିଛି ।

Tags: