ଭିନ୍ନ ଚରିତ୍ରରେ କାର୍ତ୍ତିକ
ବଲିଉଡ୍ ଅଭିନେତା କାର୍ତ୍ତିକ ଆରିଅନ ଚଳଚ୍ଚିତ୍ର ନିର୍ମାତା ବିବେକ ଅଗ୍ନିହୋତ୍ରୀଙ୍କ ଆଗାମୀ ଫିଲ୍ମ ‘ଅପରେସନ୍ ସିନ୍ଦୂର’ରେ ମୁଖ୍ୟ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି । ଏଥିରେ କାର୍ତ୍ତିକଙ୍କୁ ଏକ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିବ । ଫିଲ୍ମଟି ପୁସ୍ତକ ‘ଅପରେସନ୍ ସିନ୍ଦୂର: ଦି ଅନଟୋଲ୍ଡ ଷ୍ଟୋରୀ ଅଫ୍ ଇଣ୍ଡିଆଜ୍ ଡିପ୍ ଷ୍ଟ୍ରାଇକ୍ସ ଇନସାଇଡ୍ ପାକିସ୍ତାନ’ ଉପରେ ଆଧାରିତ । ୨୨ ଏପ୍ରିଲ ୨୦୨୫ରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବରେ ୭ ମେ ୨୦୨୫ରେ ଭାରତୀୟ ସେନା ଦ୍ୱାରା ପାକିସ୍ତାନ ଓ ପାକ ଅଧିକୃତ କାଶ୍ମୀରରେ ଥିବା ଆତଙ୍କବାଦୀ ଘାଟିଗୁଡ଼ିକୁ ଧ୍ୱଂସ କରିବା ପାଇଁ ହୋଇଥିବା ସାମରିକ ଅଭିଯାନକୁ ଏହି ଫିଲ୍ମରେ ଦର୍ଶାଯିବ । ଗତ ମାର୍ଚ୍ଚ ମାସରେ ସୋସିଆଲ ମିଡିଆରେ ଏହି ପ୍ରୋଜେକ୍ଟର ଘୋଷଣା କରାଯାଇଥିଲା । ଫିଲ୍ମଟିକୁ ଭାରତୀୟ ସଶସ୍ତ୍ର ବାହିନୀର ବିଭିନ୍ନ ଶାଖା ସହିତ ମିଳିତ ଭାବେ ବ୍ୟାପକ ଗବେଷଣା କରି ସଠିକ ତଥ୍ୟରେ ନିର୍ମାଣ କରାଯିବବୋଲି ମେକର୍ସ ସୂଚନା ଦେଇଛନ୍ତି । ଟି-ସିରିଜ୍ର ଭୂଷଣ କୁମାର ଏବଂ ବିବେକ ଅଗ୍ନିହୋତ୍ରୀଙ୍କ ‘ଆଇ ଆମ୍ ବୁଦ୍ଧ ପ୍ରଡକ୍ସନ୍ସ’ର ମିଳିତ ସହଯୋଗରେ ନିର୍ମିତ ହେଉଥିବା ଏହି ଫିଲ୍ମ ମାଧ୍ୟମରେ କାର୍ତ୍ତିକ ଓ ବିବେକ ପ୍ରଥମ ଥର ପାଇଁ ଏକାଠି କାମ କରୁଛନ୍ତି । ବର୍ତ୍ତମାନ ୟେମେନର ଫିଲ୍ମ ‘କ୍ୟାପ୍ଟେନ୍ ଇଣ୍ଡିଆ’ର ସୁଟିଂ ଶେଷ କରିବା ପରେ କାର୍ତ୍ତିକ ‘ଅପରେସନ୍ ସିନ୍ଦୂର’ର କାମ ଆରମ୍ଭ କରିବେ । ଏହା ବ୍ୟତୀତ କରଣ ଜୋହର ଓ ମହାବୀର ଜୈନଙ୍କ ନିର୍ମିତ ତଥା ମୃଗଦୀପ ସିଂହ ଲମ୍ବାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ନାଗଜିଲ୍ଲା’ , ଅନୁରାଗ ବାସୁଙ୍କ ନିର୍ଦ୍ଦେଶିତ ଶ୍ରୀଲୀଲାଙ୍କ ସହ ଏକ ରୋମାଣ୍ଟିକ୍ ଡ୍ରାମା, କାଶ୍ମୀରର ଦୁଇଥରର ବିଶ୍ୱ କିକ୍ବକ୍ସିଂ ଚାମ୍ପିଅନ୍ ତାଜାମୁଲ୍ ଇସଲାମ୍ଙ୍କ ଜୀବନୀ ଉପରେ ଆଧାରିତ କବୀର ଖାନ୍ଙ୍କ ଏକ ବାୟୋପିକ୍, ଅନୀସ୍ ବଜ୍ମୀଙ୍କ ‘ଭୁଲ୍ ଭୁଲୟାଁ ୪’ ଏବଂ କରଣ ଜୋହରଙ୍କ ‘କାଲିଆ’ ଭଳି ପ୍ରୋଜେକ୍ଟ ଗୁଡ଼ିକ କାର୍ତ୍ତିକଙ୍କ ଲିଷ୍ଟରେ ରହିଛି ।




