ପ୍ରତିକ୍ରିୟା ଦେବାକୁ ମନାକଲେ କରିନା
ଅଭିନେତ୍ରୀ କ୍ରିତି ସନନଙ୍କ ରକ୍ଷାବନ୍ଧନ ବିଜ୍ଞାପନରେ ପୋଷାକକୁ ନେଇ ଆରମ୍ଭ ହୋଇଥିବା ବିବାଦ ଉପରେ ଏବେ କରିନା କପୁର ଖାନ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି । 'ଦାୟରା' ଫିଲ୍ମର ଟ୍ରେଲର ଲଞ୍ଚ ଇଭେଣ୍ଟରେ ଯେତେବେଳେ ଗଣମାଧ୍ୟମ କରିନାଙ୍କୁ ଏହି ବିବାଦ ଏବଂ ଅଭିନେତ୍ରୀମାନଙ୍କର ସୋସିଆଲ ମିଡିଆ ଟ୍ରୋଲିଂ ସମ୍ପର୍କରେ ପ୍ରଶ୍ନ ପଚାରିଥିଲା, ସେତେବେଳେ ସେ ଏହି ବିଷୟରେ ନୀରବତା ଅବଲମ୍ବନ କରିଥିଲେ । ରିପୋର୍ଟରଙ୍କର ଏ ସମ୍ପର୍କିତ ପ୍ରଶ୍ନର ଉତ୍ତର କରିନା ନିଜେ ନ ଦେଇ ନିକଟରେ ବସିଥିବା ନିର୍ଦ୍ଦେଶକ ମେଘନା ଗୁଲଜାରଙ୍କ ଆଡ଼କୁ ମାଇକ ବଢ଼ାଇ ଦେଇଥିଲେ। କରିନାଙ୍କ ଇଶାରା ପରେ ମେଘନା ଗୁଲଜାର ପ୍ରଶ୍ନର ଉତ୍ତର ଦେଇ କହିଥିଲେ ଯେ, ଫିଲ୍ମ କିମ୍ବା ପରଦାରେ କୌଣସି ମହିଳା କିମ୍ବା ପୁରୁଷ କଳାକାରଙ୍କ ଲୁକ୍ ଏବଂ ପୋଷାକ ସେମାନଙ୍କ ଚରିତ୍ର ଉପରେ ନିର୍ଭର କରେ । ଏହା ନିର୍ଦ୍ଦେଶକଙ୍କ ଚିନ୍ତାଧାରା ଅନୁଯାୟୀ ସ୍ଥିର କରାଯାଏ । ମେଘନା ଆହୁରି ମଧ୍ୟ କହିଥିଲେ ଯେ ଏହିଭଳି ମାମଲାରେ କେବଳ କୌଣସି ଜଣେ ଅଭିନେତା କିମ୍ବା ଅଭିନେତ୍ରୀଙ୍କୁ ପ୍ରଶ୍ନ ପଚାରିବା କିମ୍ବା ସେମାନଙ୍କୁ କାଠଗଡ଼ାରେ ଠିଆ କରିବା ଆଦୌ ଉଚିତ ନୁହେଁ ।




