କଙ୍ଗନାଙ୍କ କଡା ଜବାବ
ସିନେ-ତାରକା ଶର୍ମିଳା ଟାଗୋର ଜାତୀୟ ସଙ୍ଗୀତ 'ବନ୍ଦେ ମାତରମ୍'କୁ ନେଇ ଦେଇଥିବା ଏକ ବିବାଦୀୟ ବୟାନ ପରେ ଏବେ ବଲିଉଡ ଅଭିନେତ୍ରୀ ତଥା ସାଂସଦ କଙ୍ଗନା ରଣାୱତ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସୂଚନା ଅନୁସାରେ ଶର୍ମିଳା ଟାଗୋର ଏକ ସାକ୍ଷାତକାରରେ କହିଛନ୍ତି ଯେ, 'ବନ୍ଦେ ମାତରମ୍' ସଙ୍ଗୀତରେ କାଳୀ ଓ ଦୁର୍ଗାଙ୍କ ଭଳି ଅନେକ ଦେବଦେବୀଙ୍କ ଉଲ୍ଲେଖ ଥିବାରୁ ଏହା ଏକ-ଈଶ୍ବରବାଦୀ ଆସ୍ଥା ରଖୁଥିବା ଲୋକଙ୍କ ପାଇଁ ସହଜ ନୁହେଁ । ତେଣୁ ସମସ୍ତଙ୍କୁ ଆପଣେଇବା ପାଇଁ ଏହାର ପ୍ରଥମ ଦୁଇଟି ଅନ୍ତରା ହିଁ ଗ୍ରହଣଯୋଗ୍ୟ । ଏହି ବକ୍ତବ୍ୟର କଡ଼ା ଜବାବ ଦେଇ କଙ୍ଗନା ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, କଳାକାର ଓ କବିମାନେ ଭାବନା ପ୍ରକାଶ କରିବା ପାଇଁ ବିଭିନ୍ନ ରୂପକ ବ୍ୟବହାର କରିଥାନ୍ତି । ଯେପରି ସ୍ବାମୀ ବିବେକାନନ୍ଦ ଯୁବସମାଜକୁ ଲୁହାରେ ନିର୍ମିତ ବୋଲି ପ୍ରକାଶ କରିଥିଲେ । ସେ ଶର୍ମିଳାଙ୍କୁ ଏହି ସଂକୀର୍ଣ୍ଣ "ହିନ୍ଦୁ-ମୁସଲିମ୍" ଚିନ୍ତାଧାରାରୁ ବାହାରିବାକୁ ଅନୁରୋଧ କରିବା ସହ ଜଣେ କଳାକାର ହୋଇ ସେ କିପରି ସାହିତ୍ୟକୁ ଏତେ ସୀମିତ ଦୃଷ୍ଟିକୋଣରୁ ଦେଖୁଛନ୍ତି ବୋଲି ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ।




