ଅସୁସ୍ଥ ଅଛନ୍ତି କି ସଲମାନ
ବଲିଉଡ୍ର ‘ଭାଇଜାନ୍’ ସଲମାନ୍ ଖାନ୍ଙ୍କୁ ନେଇ ଏବେ ବି-ଟାଉନ୍ଠାରୁ ଆରମ୍ଭ କରି ସୋସିଆଲ ମିଡିଆ ପର୍ଯ୍ୟନ୍ତ ସବୁଠି ଜୋର୍ଦାର ଚର୍ଚ୍ଚା ଚାଲିଛି। ନିକଟରେ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ସେ ଖୁବ ଅସୁସ୍ଥ ଦେଖାଯାଉଛନ୍ତି । ଏହି ଫଟୋ ଓ ଭିଡିଓକୁ ନେଇ ବର୍ତ୍ତମାନ ସବୁସ୍ଥାନରେ ଚର୍ଚ୍ଚା ଦେଖିବାକୁ ମିଳୁଛି । ଫ୍ୟାନମାନେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାକୁ ନେଇ ଖୁବ ଚିନ୍ତା ପ୍ରକଟ କରିଛନ୍ତି । ଅନ୍ୟପଟେ ତାଙ୍କର ଆଗାମୀ ବହୁପ୍ରତୀକ୍ଷିତ ଫିଲ୍ମ ‘ମାତୃଭୂମି’କୁ ନେଇ ସୃଷ୍ଟି ହୋଇଥିବା ବିବାଦ ଉପରୁ ଏବେ ପରଦା ହଟିଛି । ନିକଟରେ ମୁମ୍ବାଇସ୍ଥିତ ସ୍ଲମ୍ ରିହାବିଲିଟେସନ୍ ଅଥରିଟିର ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇ ସଲମାନ୍ ନୂତନ ଆଇଟି ସର୍ଭର ରୁମ୍ର ଉଦ୍ଘାଟନ କରିବା ସହ ହିତାଧିକାରୀଙ୍କୁ ଘରର ଚାବି ହସ୍ତାନ୍ତର କରିଥିଲେ । କିନ୍ତୁ ଏହି ସମୟରେ ତାଙ୍କର ଅତ୍ୟଧିକ ଦୁର୍ବଳ ତଥା କ୍ଳାନ୍ତ ଚେହେରା ଏବଂ ଚାଲିବାର ଶୈଳୀ ଦେଖି ସୋସିଆଲ ମିଡିଆରେ ଅନେକ ୟୁଜର୍ସ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ବିଭିନ୍ନ ଆଶଙ୍କା ପ୍ରକଟ କରିଛନ୍ତି । ଅପରପକ୍ଷରେ, ୨୦୨୦ ମସିହାର ଭାରତ-ଚୀନ୍ ଗଲଓ୍ୱାନ୍ ଘାଟି ସଂଘର୍ଷ ଉପରେ ଆଧାରିତ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ମାତୃଭୂମି’ (ଯାହାର ପୂର୍ବ ନାମ ‘ବ୍ୟାଟେଲ୍ ଅଫ୍ ଗଲଓ୍ୱାନ୍’ ଥିଲା) ନାମ ପରିବର୍ତ୍ତନ ଓ ଚୀନ୍ ପ୍ରତି ନରମ ମନୋଭାବ ଦେଖାଇବା ଅଭିଯୋଗ ଯୋଗୁଁ ବିବାଦ ଘେରରେ ରହିଥିଲା । ତେବେ ନିକଟରେ ପ୍ରଡକ୍ସନ ହାଉସ ପକ୍ଷରୁ କୁହାଯାଇଛି ଯେ ଫିଲ୍ମର ସୁଟିଂ ଶେଷ ହୋଇଥିଲେ ମଧ୍ୟ ଏହାକୁ ଏପର୍ଯ୍ୟନ୍ତ ସାର୍ଟିଫିକେସନ୍ ପାଇଁ ସେନସର ବୋର୍ଡ ନିକଟକୁ ପଠାଯାଇ ନାହିଁ, ତେଣୁ ଏହା ଅଟକିବା ପ୍ରଶ୍ନ ହିଁ ଉଠୁନାହିଁ ଏବଂ ଖୁବ୍ ଶୀଘ୍ର ଏହାର ନୂଆ ରିଲିଜ୍ ତାରିଖ ଘୋଷଣା କରାଯିବ ।




