ନୂଆ ଅନ୍ଦାଜରେ ଶଗୁନ
ଟିଭି ଅଭିନେତ୍ରୀ ଶଗୁନ୍ ଶର୍ମା ଏବେ ରିଆଲିଟି ଶୋ’ ‘ଖତ୍ରୋଁ କେ ଖିଲାଡୀ ୧୫’ରେ ନଜର ଆସିବାକୁ ଯାଉଥିବା ବେଳେ ଏକ ସାକ୍ଷାତକାରରେ ସେ ନିଜ କ୍ୟାରିୟର ଓ ମନର ଡର ସମ୍ପର୍କରେ ଖୋଲାଖୋଲି ଆଲୋଚନା କରିଛନ୍ତି । ହିମାଚଳ ପ୍ରଦେଶରୁ ଆସି କୌଣସି ପରିଚୟ ନଥାଇ ମୁମ୍ବାଇରେ ଅଭିନୟକୁ କ୍ୟାରିୟର୍ ଭାବେ ବାଛିବ ତାଙ୍କ ଜୀବନର ସବୁଠାରୁ ବଡ଼ ବିପଦ ଥିଲା ବୋଲି ପ୍ରକାଶ କରିଛନ୍ତି ଶଗୁନ । ଉଚ୍ଚତା ପ୍ରତି ଥିବା ତାଙ୍କର ସବୁଠାରୁ ବଡ଼ ଭୟକୁ ସେ ଏହି ଶୋ’ ମାଧ୍ୟମରେ ଦୂର କରିବାକୁ ଚାହାନ୍ତି ବୋଲି ପ୍ରକାଶ କରିଛନ୍ତି । ସୂଚନା ଅନୁସାରେ ଶୋ’ର ନୂତନ ଥିମ୍ ‘ଡର କା ନୟା ଦୌର’ରେ ପୁରୁଣା ଓ ନୂଆ ପ୍ରତିଯୋଗୀଙ୍କୁ ଦେଖିବାକୁ ମିଳିବ । ଏହି ଶୋରେ ତାଙ୍କର ରୁବିନା ଦିଲାଇକ୍, କରଣ ୱାହିଙ୍କ ଭଳି ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀଙ୍କ ସହ ମୁକାବିଲା କରିବାକୁ ଥିବାରୁ ସେ ବେଶ୍ ଉତ୍ସାହିତ ଅଛନ୍ତି । ଏଥିପାଇଁ ସେ ଜିମ୍, ସୁଇମିଂ ଓ କ୍ୟାଲିସ୍ଥେନିକ୍ସ ଜରିଆରେ ନିଜକୁ ଶାରୀରିକ ଓ ମାନସିକ ସ୍ତରରେ ପ୍ରସ୍ତୁତ କରୁଛନ୍ତି । ‘କୁଛ୍ ତୋ ହୈ ତେରେ ମେରେ ଦରମିଆଁ’, ‘କ୍ୟୁଙ୍କି ସାସ୍ ଭି କଭି ବହୁ ଥି ୨’ ଭଳି ଧାରାବାହିକରେ ଅଭିନୟ କରିଥିବା ଶଗୁନ୍ ଏହି ଶୋ’ ଜରିଆରେ ଦର୍ଶକଙ୍କୁ ନିଜର ଆଉ ଏକ ଅନ୍ଦାଜ ଦେଖାଇବେ ବୋଲି ଆଶା ରଖିଛନ୍ତି ।




