ପଇସା ପାଇଁ କରିନି ଅଭିନୟ
ବଲିଉଡର ଅଭିନେତ୍ରୀ ହେମା ମାଳିନୀ ୭୦ ଏବଂ ୮୦ ଦଶକରେ ସେ ସବୁଠାରୁ ମହଙ୍ଗା ଅଭିନେତ୍ରୀ ଥିବା ଦାବିକୁ ସମ୍ପୂର୍ଣ୍ଣ ଭାବେ ଖାରଜ କରିଦେଇଛନ୍ତି । ଏକ ସାକ୍ଷାତକାରରେ ନିଜର ପୁରୁଣା ଦିନକୁ ମନେ ପକାଇ 'ଡ୍ରିମ୍ ଗର୍ଲ' କହିଛନ୍ତି ଯେ, ଆଜିକାଲିର ଷ୍ଟାରମାନଙ୍କ ଭଳି ସେତେବେଳେ ମୋଟା ଅଙ୍କର ଫିସ୍ ମିଳୁନଥିଲା । ସେହିଭଳି ସେ କେବେ ମଧ୍ୟ ପଇସା ପାଇଁ କାମ କରୁନଥିଲେ । ଲୋକପ୍ରିୟତା ବଢ଼ିବା ସହ ପାରିଶ୍ରମିକରେ କେବଳ ସାମାନ୍ୟ ବୃଦ୍ଧି ହେଉଥିଲା, କିନ୍ତୁ ଆୟ ଅପେକ୍ଷା ତାଙ୍କ ପାଇଁ ଚଳଚ୍ଚିତ୍ରର ଅଭିଜ୍ଞତା ଓ ସମ୍ମାନ ଅଧିକ ଗୁରୁତ୍ୱପୂର୍ଣ୍ଣ ଥିଲା । ସେ ପ୍ରକାଶ କରିଛନ୍ତି ଯେ, ତାଙ୍କ କାମର ସମସ୍ତ ପରିଚାଳନା ତାଙ୍କ ମା' ବୁଝୁଥିଲେ । ଯଦି କୌଣସି ପ୍ରଯୋଜକ ଅଧିକ ଟଙ୍କା ଦେଇପାରିବେ ନାହିଁ ବୋଲି କହୁଥିଲେ, ତେବେ ତାଙ୍କ ମା' କୌଣସି ଆପତ୍ତି ନକରି ରାଜି ହୋଇଯାଉଥିଲେ । ସୂଚନା ଅନୁସାରେ, ୧୯୬୮ ମସିହାରେ 'ସପନୋ କା ସୌଦାଗର' ଚଳଚ୍ଚିତ୍ରରୁ ନିଜର ଅଭିନୟ ଜୀବନ ଆରମ୍ଭ କରିଥିବା ହେମା ମାଲିନୀ 'ସୀତା ଔର ଗୀତା', 'ଶୋଲେ', 'ଡ୍ରିମ୍ ଗର୍ଲ' ଏବଂ 'ବାଗବାନ' ଭଳି ଅନେକ ବ୍ଲକବଷ୍ଟର ଫିଲ୍ମ ଭେଟି ଦେଇଛନ୍ତି । ଜଣେ ଦକ୍ଷ ଭରତନାଟ୍ୟମ୍ ନୃତ୍ୟଶିଳ୍ପୀ ଭାବେ ପରିଚିତ ହେମା ବର୍ତ୍ତମାନ ରାଜନୀତିରେ ସକ୍ରିୟ ଅଛନ୍ତି ଏବଂ ଲୋକସଭା ସାଂସଦ ଭାବେ ଦାୟିତ୍ୱ ତୁଲାଉଛନ୍ତି । ଭାରତୀୟ ସିନେମାରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ୨୦୦୦ ମସିହାରେ ଦେଶର ଚତୁର୍ଥ ସର୍ବୋଚ୍ଚ ନାଗରିକ ସମ୍ମାନ 'ପଦ୍ମଶ୍ରୀ' ପ୍ରଦାନ କରାଯାଇଛି ।




