ଭୁଲିଯିବେ ପରବର୍ତ୍ତୀ ପିଢି !
ବଲିଉଡର ପ୍ରଖ୍ୟାତ ଗାୟକ ଅଭିଜିତ୍ ଭଟ୍ଟାଚାର୍ଯ୍ୟ ସୁପରଷ୍ଟାର ଶାହରୁଖ ଖାନଙ୍କ ସହ ତାଙ୍କର ଦୀର୍ଘ ଦିନର ବିବାଦକୁ ନେଇ ପୁଣି ଥରେ ମୁହଁ ଖୋଲିଛନ୍ତି । ଆଗାମୀ ପିଢି ଶାହରୁଖ ଖାନଙ୍କ ଭୁଲିଯିବେ ବୋଲି ସେ ନିଜ ମନ୍ତବ୍ୟରେ କହିଛନ୍ତି । ସେ ଶାହରୁଖଙ୍କ 'ଅହଂକାର' ଏବଂ ନିଜର 'ଆତ୍ମସମ୍ମାନ'କୁ ଏହି ଦୂରତାର ମୁଖ୍ୟ କାରଣ ଭାବେ ଦର୍ଶାଇଛନ୍ତି । ଏକ ସାମ୍ପ୍ରତିକ ପଡକାଷ୍ଟରେ ଅଭିଜିତ୍ କ୍ଷୋଭର ସହ ପ୍ରକାଶ କରିଛନ୍ତି ଯେ, ଶାହରୁଖ ବୟସରେ ସାନ ହୋଇଥିଲେ ମଧ୍ୟ ନିଜର ବ୍ୟବସାୟିକ ସ୍ୱାର୍ଥ ପାଇଁ ସେ ଅନ୍ୟମାନଙ୍କୁ ବ୍ୟବହାର କରି ପରେ ଭୁଲିଯାଆନ୍ତି । ଏତେ ବଡ଼ ମଣିଷ ହୋଇ ମଧ୍ୟ ସେ ଆଜି ପର୍ଯ୍ୟନ୍ତ ଥରେ ହେଲେ 'ସରି' କହିନାହାନ୍ତି । 'ମୈ ହୁଁ ନା' ଚଳଚ୍ଚିତ୍ରର କ୍ରେଡିଟ୍ସରେ ଗାୟକମାନଙ୍କୁ ସମ୍ମାନ ନ ମିଳିବା କାରଣରୁ ଏହି ବିବାଦ ସୂତ୍ରପାତ ହୋଇଥିବାର ସୂଚନା ରହିଛି । ସେହିଭଳି ଅଭିଜିତ୍ ଦାବି କରିଛନ୍ତି ଯେ, ଆଗାମୀ ପିଢ଼ି ଶାହରୁଖଙ୍କୁ ଭୁଲିଯାଇପାରେ କିନ୍ତୁ କିଶୋର କୁମାର ଓ ମହମ୍ମଦ ରଫିଙ୍କ ଭଳି ଗାୟକଙ୍କୁ ସବୁବେଳେ ମନେ ରଖିବ । କାରଣ ଲୋକେ ଗୀତ ଶୁଣନ୍ତି ସିନା କିନ୍ତୁ ତାହା କାହା ଉପରେ ଚିତ୍ରଣ କରାଯାଇଥିଲା ତାହା ଭୁଲିଯାଆନ୍ତି । ଶାହରୁଖଙ୍କୁ ଜଣେ ଅତ୍ୟଧିକ ବ୍ୟବସାୟିକ ବ୍ୟକ୍ତି ଭାବେ ବର୍ଣ୍ଣନା କରି ସେ ସ୍ପଷ୍ଟ କରିଛନ୍ତି ଯେ, ନିଜର ଆତ୍ମସମ୍ମାନ ରକ୍ଷା କରିବା ପାଇଁ ହିଁ ସେ ଶାହରୁଖଙ୍କ ପାଇଁ ଗୀତ ଗାଇବା ବନ୍ଦ କରିଦେଲେ। ତେବେ ଏ ସମ୍ପର୍କରେ ଶାହରୁଖଙ୍କ କୌଣସି ମତାମତ ମିଳିନାହିଁ ।



