ହେମାଙ୍କ କ୍ଷୋଭ
ଚଳିତ ବର୍ଷର ପ୍ରତିଷ୍ଠିତ ଓସ୍କାର ଏକାଡେମୀ ଆୱାର୍ଡର ‘ଇନ୍ ମେମୋରିୟମ୍’ ସେଗମେଣ୍ଟକୁ ନେଇ ସୋସିଆଲ ମିଡିଆରେ ଏକ ବଡ଼ ବିତର୍କ ଆରମ୍ଭ ହୋଇଛି । ଏହି ସମ୍ମାନଜନକ ଶ୍ରଦ୍ଧାଞ୍ଜଳି ସୂଚୀରେ ବଲିଉଡର କିମ୍ବଦନ୍ତୀ ଅଭିନେତା ଧର୍ମେନ୍ଦ୍ରଙ୍କ ନାମ ସାମିଲ କରାଯାଇ ନାହିଁ । ପ୍ରାୟ ଛଅ ଦଶନ୍ଧି ଧରି ଭାରତୀୟ ସିନେମାକୁ ସମୃଦ୍ଧ କରିଥିବା ଏହି ମହାନ କଳାକାରଙ୍କୁ ହଲିଉଡର ଏହି ବଡ଼ ମଞ୍ଚରେ ଅଣଦେଖା କରାଯିବାକୁ ନେଇ ତାଙ୍କର କୋଟି କୋଟି ପ୍ରଶଂସକ କ୍ଷୋଭ ପ୍ରକାଶ କରିଛନ୍ତି । ଏହି ପ୍ରସଙ୍ଗରେ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ହେମା ମାଳିନୀ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଧରମ ଜୀ ନିଜ ଜୀବନରେ ପୁରସ୍କାର ଅପେକ୍ଷା ଦର୍ଶକଙ୍କ ଭଲପାଇବାକୁ ସବୁବେଳେ ଶ୍ରେଷ୍ଠ ସମ୍ମାନ ବୋଲି ମାନୁଥିଲେ । ତେଣୁ ଓସ୍କାର କିମ୍ବା ଅନ୍ୟ କୌଣସି ଆୱାର୍ଡ ପାଇଁ ସେ କେବେ ଚିନ୍ତିତ ନଥିଲେ । ଯଦିଓ ବ୍ରିଟେନର ପ୍ରତିଷ୍ଠିତ ବାଫ୍ଟା ପୁରସ୍କାର ସମାରୋହରେ ତାଙ୍କୁ ସମ୍ମାନର ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା, ତଥାପି ଓସ୍କାରର ଏହି ଆଚରଣକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଚର୍ଚ୍ଚା ଜାରି ରହିଛି । ହେମାଙ୍କ ମତରେ, ଜଣେ କଳାକାର ପାଇଁ ଲୋକଙ୍କ ହୃଦୟରେ ଥିବା ସ୍ଥାନ ହିଁ ପ୍ରକୃତ ସଫଳତା ଏବଂ ଧର୍ମେନ୍ଦ୍ର ଆଜି ମଧ୍ୟ ନିଜର ଆକ୍ସନ, ରୋମାନ୍ସ ଓ କମେଡି ଭଳି ବହୁମୁଖୀ ପ୍ରତିଭା ପାଇଁ ବିଶ୍ୱବ୍ୟାପୀ ଦର୍ଶକଙ୍କ ସ୍ନେହର ପାତ୍ର ହୋଇ ରହିଛନ୍ତି ।



