ନିଜ ଉପରେ ଅଛି ବିଶ୍ବାସ
ପରିବାର ଏବଂ ସମାଜର ପ୍ରତିକୂଳ ପରିସ୍ଥିତି ସହ ଲଢ଼ି କଶ୍ମୀରର ଫରହାନା ଭଟ୍ଟ ଆଜି ଅଭିନୟ ଦୁନିଆରେ ଏକ ଜଣାଶୁଣା ଚେହେରା ପାଲଟିଛନ୍ତି । ମାତ୍ର ୪ ମାସର ହୋଇଥିବା ବେଳେ ବାପା ଛାଡ଼ି ଚାଲିଯିବା ପରେ ମା’ ଓ ଅଜାଙ୍କ ସହ ବଢ଼ିଥିବା ଫରହାନାଙ୍କୁ ପିଲାଦିନେ ଆତ୍ମୀୟଙ୍କ ଠାରୁ ଅନେକ ତାତ୍ସଲ୍ୟ ଶୁଣିବାକୁ ମିଳୁଥିଲା । ଏହା ସତ୍ତ୍ୱେ ହାର ନମାନି ସେ ଅଷ୍ଟମ ଶ୍ରେଣୀରୁ ମଡେଲିଂ କରି ନିଜ ପାଠପଢ଼ା ଖର୍ଚ୍ଚ ଉଠାଇଥିଲେ । କେବଳ ଅଭିନୟ ନୁହେଁ ସେ ୫ ଥର ନ୍ୟାସନାଲ ତାଇକୋଣ୍ଡୋ ଚାମ୍ପିଅନ ମଧ୍ୟ ହୋଇଥିଲେ । ଗଣଯୋଗାଯୋଗରେ ସ୍ନାତକ ହାସଲ କରିବା ପରେ ସେ ସାମ୍ବାଦିକତା ଛାଡ଼ି ଅଭିନୟକୁ କ୍ୟାରିୟର ଭାବେ ବାଛିଥିଲେ । ଏହାପରେ ‘ଲୈଲା ମଜନୁ’ ଓ ‘ସିଙ୍ଘମ ଏଗେନ’ ଭଳି ବଡ଼ ଫିଲ୍ମରେ କାମ କରିଥିଲେ। କ୍ୟାରିୟର ଆରମ୍ଭରେ ମୁମ୍ବାଇରେ ଏକ କାଷ୍ଟିଂ ସ୍କାମ ଓ ଠକାମିରୁ ନିଜ ବୁଦ୍ଧି ବଳରେ ବର୍ତ୍ତିଥିବା ଫରହାନା, ‘ବିଗ୍ ବସ୍ ୧୯’ରେ ରନର୍ସଅପ୍ ହୋଇ ନିଜକୁ ପ୍ରମାଣିତ କରିଛନ୍ତି କି ଟାଲେଣ୍ଟ ଥିଲେ ସବୁ ହୋଇପାରିବ । ଶୋ’କୁ ଯିବା ପୂର୍ବରୁ ଯେଉଁ ଡିଜାଇନରମାନେ ତାଙ୍କୁ ପୋଷାକ ଦେବାକୁ ମନା କରିଥିଲେ, ସଫଳତା ପରେ ସେହିମାନେ ହିଁ ତାଙ୍କୁ ଲକ୍ଷ ଲକ୍ଷ ଟଙ୍କାର ଅଫର ଦେଇଛନ୍ତିବୋଲି ସେ ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି । ତେଣୁ ସେ ଆଜି ବି ନିଜ ପ୍ରତିଭା ଉପରେ ବିଶ୍ବାସ ରଖିଛନ୍ତି ବୋଲି ପ୍ରକାଶ କରିଛନ୍ତି ।




