ପରିଶ୍ରମ ଦେଇଛି ସଫଳତା
ଅନୁପମ ଖେରଙ୍କ ଚଳଚ୍ଚିତ୍ର ‘ତନ୍ବୀ ଦ ଗ୍ରେଟ୍’ ମାଧ୍ୟମରେ ଘରେ ଘରେ ପରିଚିତ ହୋଇଥିବା ଅଭିନେତ୍ରୀ ଶୁଭାଙ୍ଗୀ ଦତ୍ତ ଆଜି ସଫଳତାର ଶିଖର ଛୁଇଁବା ସହ ଏକାଧିକ ସମ୍ମାନଜନକ ପୁରସ୍କାର ହାସଲ କରୁଛନ୍ତି । ହେଲେ ଏହି ସଫଳତା ପଛରେ ରହିଛି ଅନେକ ସଂଘର୍ଷ ଓ କଷ୍ଟ । ଏକ ସାକ୍ଷାତକାରରେ ନିଜ ଅଭିଜ୍ଞତା ବାଣ୍ଟି ଶୁଭାଙ୍ଗୀ କହିଛନ୍ତି ଯେ, କେବେ ଉଚ୍ଚତା ପାଇଁ ତ କେବେ ଚେହେରା ପାଇଁ ତାଙ୍କୁ ୬୦ରୁ ଅଧିକ ଥର ଅଡିସନରୁ ବାଦ୍ ଦିଆଯାଇଥିଲା । ଏପରିକି ଅନେକ ସମୟରେ ବିନା ଅଡିସନରେ ହିଁ ତାଙ୍କୁ ଫେରାଇ ଦିଆଯାଉଥିଲା । ଏକ ମଧ୍ୟବିତ୍ତ ପରିବାରରୁ ଆସିଥିବା ଶୁଭାଙ୍ଗୀ ପିଲାଦିନେ ବାରମ୍ବାର ଘର ଓ ସ୍କୁଲ ବଦଳାଇବା ସହ ଅନେକ ଆର୍ଥିକ ଅନିଶ୍ଚିତତା ଦେଇ ଗତି କରିଥିଲେ ମଧ୍ୟ କେବେ ହାର ମାନିନଥିଲେ । ମାତ୍ର ୧୬ ବର୍ଷ ବୟସରୁ କାମ କରିବା ଆରମ୍ଭ କରିଥିବା ଏହି ଅଭିନେତ୍ରୀ ମାସ ମିଡିଆ ପାଠପଢ଼ା ସହ ମଡେଲିଂ ଦୁନିଆରେ ପାଦ ଦେଇଥିଲେ । ନିଜର ପ୍ରଥମ ବଡ଼ ବ୍ରେକ୍ ସୁପରଷ୍ଟାର ହ୍ରିତିକ ରୋଶନଙ୍କ ବ୍ରାଣ୍ଡ 'ଏଚଆରଏକ୍ସ' ପାଇଁ ପାଇଥିଲେ । ପରବର୍ତ୍ତୀ ସମୟରେ ଅଭିଜ୍ଞତା ବଢାଇବା ପାଇଁ ସେ ଅନୁପମ ଖେରଙ୍କ ‘ଆକ୍ଟର ପ୍ରିପେୟାର୍ସ’ରୁ ଅଭିନୟ ଶିକ୍ଷା କରିଥିଲେ। ଯାହାପରେ ଅନୁପମ ଖେରଙ୍କ ଚଳଚ୍ଚିତ୍ର ‘ତନ୍ବୀ ଦ ଗ୍ରେଟ୍’ରେ ତାଙ୍କୁ ସୁଯୋଗ ମିଳିଥିଲା ଏବଂ ଯାହା ତାଙ୍କୁ ପରିଚୟ ଦେବାରେ ସଫଳ ହୋଇଛି । ତାଙ୍କର ପରିଶ୍ରମ ଫଳରେ ଆଜି ଅଷ୍ଟ୍ରେଲିଆ ଇଣ୍ଟରନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲ୍, ଜି ସିନେ ଆୱାର୍ଡ ଓ ଆଇକନିକ୍ ଗୋଲ୍ଡ ଆୱାର୍ଡ ଭଳି ମଞ୍ଚରେ ତାଙ୍କୁ ସମ୍ମାନିତ କରାଯାଉଛି ।



