ଆର ଜେ ରୁ ନାୟିକା

ଆର ଜେ ରୁ ନାୟିକା
Ipsita Picture
By: Ipsita
Published On


ନିଜ ପର୍ସନାଲ ଲାଇଫ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଆରଜେ ମହଭଶ ବର୍ତ୍ତମାନ ନିଜର କ୍ୟାରିୟରକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନିଜର ଅପକମିଂ ପ୍ରୋଜେକ୍ଟକୁ ନେଇ ଖୁବ ଚର୍ଚ୍ଚା ସାଉଁଟୁଛନ୍ତି ମହଭଶ । ଫ୍ୟାନଙ୍କ ପାଇଁ ଅନେକ ସରପ୍ରାଇଜ ରଖିଥିବାନେଇ ପ୍ରକାଶ କରିଛନ୍ତି ମହଭଶ ।  
ମିଡିଆ ଏବଂ ଡିଜିଟାଲ୍ କଣ୍ଟେଣ୍ଟ କ୍ରିଏସନ୍ ଜଗତରେ ଆଜି ଆର.ଜେ. ମହଭଶ୍ ଏକ ପରିଚିତ ତଥା ପ୍ରେରଣାଦାୟୀ ଚେହେରା ପାଲଟିଛନ୍ତି । ତାଙ୍କ ଜୀବନ କାହାଣୀ କେବଳ ଚମକପ୍ରଦ ସଫଳତାର ନୁହେଁ, ବରଂ ଅସୀମ ସଂଘର୍ଷ ଓ ଦୃଢ଼ ଇଚ୍ଛାଶକ୍ତିର ଏକ ଜ୍ୱଳନ୍ତ ଉଦାହରଣ। ଉତ୍ତର ପ୍ରଦେଶର ଏକ ରକ୍ଷଣଶୀଳ ପରିବେଶରେ ଜନ୍ମଗ୍ରହଣ କରିଥିବା ମହଭଶ୍ ପ୍ରତିଷ୍ଠିତ ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟରୁ ମାସ୍ କମ୍ୟୁନିକେସନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ପରେ ରେଡିଓ ଇଣ୍ଡଷ୍ଟ୍ରିରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ।  ନିଜର ଆକର୍ଷଣୀୟ କଥାବାର୍ତ୍ତା ଶୈଳୀ ଓ ଚମତ୍କାର ଉପସ୍ଥାପନା ଯୋଗୁଁ ଖୁବ୍ କମ୍ ସମୟ ମଧ୍ୟରେ ଲକ୍ଷ ଲକ୍ଷ ଶ୍ରୋତାଙ୍କ ହୃଦୟ ଜିତିବାରେ ସଫଳ ହୋଇଥିଲେ। ସୋସିଆଲ ମିଡିଆରେ ନିଜର ମଜାଦାର ତଥା ସାମାଜିକ ସଚେତନତାମୂଳକ ପ୍ରାଙ୍କ୍ ଭିଡିଓ ଏବଂ କଣ୍ଟେଣ୍ଟ ମାଧ୍ୟମରେ ସେ ଡିଜିଟାଲ୍ ଦୁନିଆରେ ନିଜର ଏକ ସ୍ୱତନ୍ତ୍ର ସାମ୍ରାଜ୍ୟ ପ୍ରତିଷ୍ଠା କରିଛନ୍ତି। ଯେଉଁଠାରେ ତାଙ୍କର ଲକ୍ଷ ଲକ୍ଷ ଫଲୋଅର୍ସ ରହିଛନ୍ତି। ତେବେ ଗ୍ଲାମର ଜଗତର ଏହି ସଫଳତା ପଛରେ ଏକ ବଡ଼ କଷ୍ଟଦାୟକ ବ୍ୟକ୍ତିଗତ ସଂଘର୍ଷ ଲୁଚି ରହିଥିଲା। ମାତ୍ର ୧୯ ବର୍ଷ ବୟସରେ ପରିବାରର ଚାପରେ ଆସି ସେ ଏକ ଭୁଲ୍ ସମ୍ପର୍କରେ ଛନ୍ଦି ହୋଇପଡ଼ିଥିଲେ । ସେହି ନିର୍ବନ୍ଧରେ ତାଙ୍କୁ ପ୍ରବଳ ପ୍ରତାରଣାର ସାମ୍ନା କରିବାକୁ ପଡ଼ିଥିଲା, ଯାହାଫଳରେ ସେ ଗଭୀର ମାନସିକ ଅବସାଦ ଓ ପ୍ୟାନିକ୍ ଆଟାକ୍‌ର ଶିକାର ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। କିନ୍ତୁ ସେହି ଦୁର୍ଦ୍ଦିନକୁ ହରାଇ ସେ ନିଜକୁ ଅଧିକ ଶକ୍ତ ଭାବେ ଗଢ଼ିତୋଳିଥିଲେ ଏବଂ ବ୍ୟକ୍ତିଗତ ଜୀବନର ଝଡ଼ ସତ୍ତ୍ୱେ ନିଜ କ୍ୟାରିୟରକୁ ଏକ ନୂଆ ମୋଡ଼ ଦେଇଥିଲେ। ନିକଟରେ ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲଙ୍କ ସହ ତାଙ୍କ ନାମ ଯୋଡ଼ାଯାଇ ସୋସିଆଲ ମିଡିଆରେ ଚାଲିଥିବା ବିଭିନ୍ନ ଗୁଜବକୁ ସେ ସମ୍ପୂର୍ଣ୍ଣ ଆଧାରହୀନ ଓ ମିଥ୍ୟା ବୋଲି ସ୍ପଷ୍ଟ କରିବା ସହ ନିଜକୁ ସମ୍ପୂର୍ଣ୍ଣ ସିଙ୍ଗଲ୍ ଓ କେବଳ ନିଜ କାମରେ ଫୋକସ୍ କରୁଥିବା ପ୍ରକାଶ କରିଛନ୍ତି। କେବଳ ଜଣେ ସଫଳ ଆର.ଜେ. କିମ୍ବା ଡିଜିଟାଲ୍ ଷ୍ଟାର୍ ନୁହେଁ, ବରଂ ନୱାଜୁଦ୍ଦିନ ସିଦ୍ଦିକିଙ୍କ ଅଭିନୀତ ଚଳଚ୍ଚିତ୍ର 'ସେକ୍ସନ ୧୦୮' ମାଧ୍ୟମରେ ଜଣେ ସହ-ପ୍ରଯୋଜିକା ଭାବେ ବଲିଉଡରେ ପାଦ ଥାପି ସେ ନିଜର ବହୁମୁଖୀ ପ୍ରତିଭାର ପ୍ରମାଣ ଦେଇଛନ୍ତି। ବର୍ତ୍ତମାନ ସେ ଅଭିନୟ କ୍ଷେତ୍ରରେ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି ଏବଂ ତାଙ୍କର ଆଗାମୀ ବଡ଼ ପ୍ରୋଜେକ୍ଟଗୁଡ଼ିକ ମଧ୍ୟରେ ପ୍ରସିଦ୍ଧ ଅଭିନେତା ଜିତେନ୍ଦ୍ର କୁମାରଙ୍କ ସହ ମୁଖ୍ୟ ନାୟିକା ଭାବେ ବଲିଉଡ୍ ଚଳଚ୍ଚିତ୍ର 'ଟେଢ଼ି ହୈ ପର ମେରୀ ହୈ' ଏବଂ ଅଂଶୁମାନ ପୁଷ୍କରଙ୍କ ସହ ଆଗାମୀ ହାଇ-ଭୋଲଟେଜ୍ ୱେବ୍ ସିରିଜ୍ 'ସତରଙ୍ଗୀ- ବଦଲେ କା ଖେଲ୍' ସାମିଲ ରହିଛି । ଏହି ପ୍ରୋଜେକ୍ଟ ଗୁଡିକ ଖୁବଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି ଏବଂ ଏହି ନୂତନ ଇନିଂସ ତାଙ୍କୁ ମନୋରଞ୍ଜନ ଦୁନିଆର ଏକ ସର୍ବୋଚ୍ଚ ଶିଖରରେ ପହଞ୍ଚାଇବ ବୋଲି ସମୀକ୍ଷକମାନେ ଆଶା ପ୍ରକଟ କରିଛନ୍ତି।

Tags: