ଇଞ୍ଜିନିୟରିଂରୁ ବଲିଉଡ
କ୍ରିତି ସନନ୍ ବଲିଉଡ୍ର ଅନ୍ୟତମ ସଫଳ ଅଭିନେତ୍ରୀ ଭାବେ ଗଣାହୁଅନ୍ତି, ଯାହାଙ୍କ ନାମରେ ଜାତୀୟ ପୁରସ୍କାର, କେତେକ ସୁପରହିଟ୍ ଫିଲ୍ମ ଏବଂ ନିଜସ୍ୱ ପ୍ରଡକ୍ସନ୍ ହାଉସ୍ ସାମିଲ ରହିଛି। କିନ୍ତୁ ସଫଳତାର ଏହି ଶୀର୍ଷରେ ପହଞ୍ଚିବା ପାଇଁ ତାଙ୍କୁ ଅନେକ ପରିଶ୍ରମ କରିବାକୁ ପଡିଛି । ନୂଆଦିଲ୍ଲୀରେ ଜନ୍ମଗ୍ରହଣ କରିଥିବା କ୍ରିତିଙ୍କର ପିତା ରାହୁଲ ସନନ୍ ଜଣେ ଚାର୍ଟର୍ଡ ଆକାଉଣ୍ଟାଣ୍ଟ ଏବଂ ମାତା ଗୀତା ସେନନ୍ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର । ଡିପିଏସ୍ ଆର.କେ. ପୁରମ୍ରୁ ପ୍ରାରମ୍ଭିକ ଶିକ୍ଷା ପରେ ନୋଏଡାର ଜେପି ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇନ୍ଫରମେସନ୍ ଟେକ୍ନୋଲୋଜିରୁ ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନ୍ରେ ବି.ଟେକ୍ କରିଛନ୍ତି କ୍ରିତି । ପିଲାଦିନୁ ସେ ଷ୍ଟେଜ୍କୁ ଯିବାକୁ ଡରୁଥିଲେ, ଯାହାଫଳରେ ଅଭିନୟ କିମ୍ବା ଫିଲ୍ମ ଦୁନିଆକୁ ଆସିବା କଥା ସେ କେବେ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲେ। କିନ୍ତୁ ବି.ଟେକ୍ ପଢ଼ିବା ସମୟରେ ଜଣଙ୍କର ପରାମର୍ଶ କ୍ରମେ ସେ ମଡେଲିଂରେ ଭାଗ ନେବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଭଉଣୀ ନୂପୁର ଘରେ ଉଠାଇଥିବା କିଛି ସାଧାରଣ ଫଟୋକୁ ଏକ ୱେବସାଇଟ୍ର ‘ଫ୍ରେଶ୍ ଫେସ୍’ ପ୍ରତିଯୋଗିତାକୁ ପଠାଇଥିଲେ । ଏହାପରେ ପ୍ରସିଦ୍ଧ ଫଟୋଗ୍ରାଫର ଡବ୍ବୁ ରତ୍ନାନୀଙ୍କ ଦ୍ୱାରା ମାଗଣା ପୋର୍ଟଫୋଲିଓ ସୁଟ୍ ଜିତିଥିଲେ, ଯାହା ତାଙ୍କ ଜୀବନର ସବୁଠାରୁ ବଡ଼ ଟର୍ନିଂ ପଏଣ୍ଟ ପାଲଟିଥିଲା। ଏହା ପରଠାରୁ ଆଉ ପଛକୁ ଫେରି ଚାହିଁ ନାହାନ୍ତି କ୍ରିତି । ଏହାପରେ ତାଙ୍କର ପରିଶ୍ରମ ତାଙ୍କୁ ଜଣେ ଇଞ୍ଜିନିୟରିଂ ଛାତ୍ରୀରୁ ବଲିଉଡର ସଫଳ ନାୟିକା ସଜାଇଛି ।




