ନିର୍ମାତାଭାବେ ପ୍ରଥମ ଫିଲ୍ମ
ରାଜକୁମାର ରାଓ ଏବଂ ସାଉଥ୍ ଅଭିନେତ୍ରୀ କୀର୍ତ୍ତି ସୁରେଶଙ୍କ ଅଭିନୀତ ବହୁପ୍ରତୀକ୍ଷିତ ଡ୍ରାମା ଚଳଚ୍ଚିତ୍ର ‘ରଫ୍ତାର୍’ ଆସନ୍ତା ୧୬ ଅକ୍ଟୋବର ୨୦୨୬ରେ ରିଲିଜ ହେବାନେଇ ଯୋଜନା ରହିଛି । ପୂର୍ବରୁ ଏହି ଫିଲ୍ମଟି ଜୁଲାଇ ମାସରେ ରିଲିଜ ଥିଲା, ହେଲେ ବର୍ତ୍ତମାନର ସୂଚନା ଅନୁସାରେ ଏହା ଦଶହରା ଅବସରରେ ରିଲିଜ ହେବ । ଆମାଜନ ଏମଜିଏମ ଷ୍ଟୁଡିଓଜ୍ ସହଯୋଗରେ ନିର୍ମିତ ଏହି ଫିଲ୍ମର ପ୍ରଯୋଜନା ପତ୍ରଲେଖା ନିଜ ବ୍ୟାନର ‘କମ୍ପା ଫିଲ୍ମ’ ଅଧୀନରେ କରିଛନ୍ତି, ଯାହାକି ପ୍ରଯୋଜକ ଭାବେ ପତ୍ରଲେଖା ଏବଂ ରାଜକୁମାର ରାଓଙ୍କ ପ୍ରଥମ ଫିଲ୍ମ ଅଟେ । ଆଦିତ୍ୟ ନିମ୍ବାଲକରଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରର କାର୍ଯ୍ୟନିର୍ବାହୀ ପ୍ରଯୋଜକ ତରୁଣ ବାଲି ଥିବାବେଳେ ଏହାର କାହାଣୀ ଓ ସ୍କ୍ରିନପ୍ଲେ ରୋହନ ନାରୁଲା ଲେଖିଛନ୍ତି । ଭାରତର ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଏଡ୍-ଟେକ୍ ଇଣ୍ଡଷ୍ଟ୍ରି ପୃଷ୍ଠଭୂମି ଉପରେ ଆଧାରିତ ଏହି ଚଳଚ୍ଚିତ୍ରର କାହାଣୀରେ ଏକ ଷ୍ଟାର୍ଟଅପ୍ର ଦ୍ରୁତ ସଫଳତା ଓ ତା’ ପରେ ଆସୁଥିବା ସମସ୍ୟାକୁ ଚିତ୍ରଣ କରାଯାଇଛି । ଫିଲ୍ମରେ ଅନୁରାଗ ଠାକୁର, ରୋହନ ବର୍ମା, ତାନିୟା ମାନିକତଲା ଓ ରଜତ କପୁରଙ୍କ ଭଳି ଦକ୍ଷ କଳାକାରଙ୍କୁ ଗୁରୁତ୍ୱପୂର୍ଣ୍ଣ ଅଭିନୟରେ ଦେଖିବାକୁ ମିଳିବ । ଫିଲ୍ମକୁ ନେଇ ଉଭୟ ମେକର୍ସ ଓ ଦର୍ଶକ ଖୁବ ଆଶାବାଦୀ ଅଛନ୍ତି ।



