ପ୍ରଥମ ପସନ୍ଦ ଅନିଲ
ଭାରତୀୟ ଟେଲିଭିଜନ ଜଗତର ଅଗ୍ରଣୀ ମନୋରଞ୍ଜନ ଚ୍ୟାନେଲ ‘ଷ୍ଟାର୍ ପ୍ଲସ’ ଦୀର୍ଘ ଦିନର ବ୍ୟବଧାନ ପରେ ନନ ଫ୍ରିକ୍ସନ ମନୋରଞ୍ଜନ ଦୁନିଆକୁ ଏକ ବଡ଼ ଧମାକା ସହ ଫେରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତି କରିସାରିଛି । ଯାହା ଟେଲିଭିଜନର ସବୁଠାରୁ ଲୋକପ୍ରିୟ ଶୋ’ ‘ବିଗ୍ ବସ୍’ ଏବଂ ‘ଲାଫ୍ଟର୍ ସେଫ୍ସ’ ଭଳି ମେଗା ଶୋ’ ଗୁଡ଼ିକୁ କଡ଼ା ଚାଲେଞ୍ଜ ଦେବ ବୋଲି ଜଣାପଡ଼ିଛି । ପ୍ରିମିୟମ୍ ପ୍ରଡକ୍ସନ ହାଉସ୍ ‘ଏଣ୍ଡେମଲ୍’ ବ୍ୟାନରରେ ଖୁବ୍ ଭବ୍ୟ ଓ ବଡ଼ ସ୍କେଲ୍ରେ ନିର୍ମିତ ହେବାକୁ ଥିବା ଏହି ନିଆରା ଗେମ୍ ଶୋ’ର ହୋଷ୍ଟିଂ ପାଇଁ ବଲିଉଡ ଆଇକନ୍ ଅନିଲ୍ କପୁର ପ୍ରଥମ ପସନ୍ଦ ସାଜିଛନ୍ତି । ପ୍ରଯୋଜନା ସଂସ୍ଥା ଖୁବ୍ଶୀଘ୍ର ତାଙ୍କ ସହ ଚୁକ୍ତିପତ୍ର ଚୂଡ଼ାନ୍ତ କରି ଏକ ହାଇ-ପ୍ରୋଫାଇଲ୍ ପ୍ରୋମୋ ସୁଟିଂ କରିବାକୁ ଯୋଜନା କରୁଛିବୋଲି ଜଣାପଡିଛି । ପାରମ୍ପରିକ ଦୀର୍ଘକାଳୀନ ରିଆଲିଟି ଶୋ’ ଗୁଡ଼ିକ ପରି ନହୋଇ, ଏହି ଆଗାମୀ ଶୋ’ଟି ଏକ ସମ୍ପୂର୍ଣ୍ଣ ଭିନ୍ନ ଫର୍ମାଟ୍ରେ ପ୍ରସ୍ତୁତ ହେଉଛି । ଯେଉଁଥିରେ ପ୍ରତି ସପ୍ତାହରେ ଦର୍ଶକମାନେ ସମ୍ପୂର୍ଣ୍ଣ ନୂଆ ପ୍ରତିଯୋଗୀ, ନୂଆ ରୋମାଞ୍ଚକର ଆହ୍ୱାନ ଏବଂ ଅପ୍ରତ୍ୟାଶିତ ଟ୍ୱିଷ୍ଟ୍ ଦେଖିବାକୁ ପାଇବେ ।




