କଙ୍ଗନାଙ୍କ ନାଁରେ ଏଫଆଇଆର
କଙ୍ଗନା ଅନେକଥର ନିଜମନ୍ତବ୍ୟକୁ ନେଇ ବିବାଦରେ ରହିଥାଆନ୍ତି । ସୂଚନା ଅନୁସାରେ କଙ୍ଗନା କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଏବଂ ଗାନ୍ଧୀ ପରିବାରକୁ ନେଇ ସୋସିଆଲ ମିଡିଆରେ କରିଥିବା ଏକ ପୋଷ୍ଟ ପାଇଁ ଶିମଲାରେ ତାଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଛି । ନଭେମ୍ବର ୧୦ ତାରିଖରେ କଙ୍ଗନା ସେୟାର କରିଥିବା ପୋଷ୍ଟକୁ ଭିତ୍ତି କରି ଅବସରପ୍ରାପ୍ତ କ୍ୟାପଟେନ ଅତୁଲ ଶର୍ମା ଏହି ଅଭିଯୋଗ ଦାଖଲ କରିଛନ୍ତି । ଅଭିଯୋଗକାରୀ ଅତୁଲ ଶର୍ମା ଏହି ପୋଷ୍ଟକୁ ବିଭ୍ରାନ୍ତିକର, ଅପ୍ରମାଣିତ ତଥା ସମାଜରେ ଶାନ୍ତି ଓ ସୌହାର୍ଦ୍ଦ୍ୟ ଭଙ୍ଗକାରୀ ବୋଲି ଦର୍ଶାଇ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ଅନୁସାରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ, ସଞ୍ଜୟ ଗାନ୍ଧୀ ଏବଂ ରାଜୀବ ଗାନ୍ଧୀଙ୍କ ମୃତ୍ୟୁକୁ ସୋନିଆ ଗାନ୍ଧୀଙ୍କ ରାଜନୈତିକ ଅଭ୍ୟୁଦୟ ସହ ଯୋଡ଼ିବା ସହ ସୋନିଆଙ୍କୁ ଜଣେ 'ରହସ୍ୟମୟ ବିଦେଶୀ ନାଗରିକ' ବୋଲି ସମ୍ବୋଧନ କରିଛନ୍ତି । ଏହାବ୍ୟତୀତ ପୋଷ୍ଟରେ ବ୍ୟବହୃତ 'ହାଓ କନଭିନିଏଣ୍ଟ' ଶବ୍ଦ ଏବଂ ମେନକା ଗାନ୍ଧୀ ପରିବାରରୁ ଅଲଗା ହେବା ପ୍ରସଙ୍ଗ ଉଠାଇବା ରାଜନୈତିକ ସମାଲୋଚନାଠାରୁ ବହୁ ଊର୍ଦ୍ଧ୍ୱରେ ରହି ଜନସାଧାରଣଙ୍କ ମଧ୍ୟରେ ବିଦ୍ୱେଷ ସୃଷ୍ଟି କରିବ । ସ୍ୱାଧୀନତା ନାମରେ ଏଭଳି ଉତ୍ତେଜନାମୂଳକ ତଥ୍ୟ ପ୍ରଚାର କରିବା ସମ୍ବିଧାନ ବିରୋଧୀ । ଅନ୍ୟପଟେ କଙ୍ଗନା ରଣାୱତ ନିଜ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ରି-ସେୟାର କରି ପ୍ରଥମତଃ ଦାବି କରିଥିଲେ ଯେ ରାଜୀବ ଗାନ୍ଧୀଙ୍କ ହତ୍ୟା ଦିନ ରାଜୀବ ସୋନିଆ ଗାନ୍ଧୀଙ୍କୁ ସାଙ୍ଗରେ ନେବାକୁ ଚାହିଁଥିଲେ ମଧ୍ୟ ସୋନିଆ ଥକାପଣ ଓ ଅଳସୁଆମି କାରଣ ଦର୍ଶାଇ ଯାଇନଥିଲେ । ସେହିଭଳି କୌଣସି ରୋଜଗାର ନଥାଇ ୧୯୯୧ ମସିହାରେ ସୋନିଆ ଗାନ୍ଧୀ କିପରି ବିଶ୍ୱର ସବୁଠାରୁ ଧନୀ ମହିଳା ହେଲେ ଏବଂ ସ୍ୱିସ୍ ବ୍ୟାଙ୍କରେ ତାଙ୍କ ନାମରେ ୨ ବିଲିୟନ ଡଲାରରୁ ଅଧିକ ଅର୍ଥ ଜମା ଥିବା ନେଇ କଙ୍ଗନା ପ୍ରଶ୍ନ ଉଠାଇଛନ୍ତି । ଏଭଳି ଅନେକ କଥାରେ କଙ୍ଗନା ପ୍ରଶ୍ନ ଉଠାଇଛନ୍ତି ।




