ବିନା ପାରିଶ୍ରମିକରେ ଫିଲ୍ମ
ଅଭିନେତା ତଥା ନିର୍ଦ୍ଦେଶକ ରିତେଶ ଦେଶମୁଖଙ୍କ ବହୁପ୍ରତିକ୍ଷିତ ଐତିହାସିକ ଚଳଚ୍ଚିତ୍ର ‘ରାଜା ଶିବାଜୀ’ ବକ୍ସ ଅଫିସରେ ଜବରଦସ୍ତ ସଫଳତା ହାସଲ କରିଥିବା ବେଳେ ଏହାକୁ ନେଇ ଅନେକ ତଥ୍ୟ ସାମ୍ନାକୁ ଆସୁଛି । ଏକ ସାକ୍ଷାତକାରରେ ରିତେଶ ପ୍ରକାଶ କରିଛନ୍ତି ଯେ, ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତି ଥିବା ଗଭୀର ଶ୍ରଦ୍ଧା ଏବଂ ପରସ୍ପର ମଧ୍ୟରେ ଥିବା ନିବିଡ଼ ସମ୍ପର୍କ ଯୋଗୁଁ ସଲମାନ ଖାନ, ଅଭିଷେକ ବଚ୍ଚନ, ବିଦ୍ୟା ବାଲାନ, ଫରଦୀନ ଖାନ, ବୋମାନ ଇରାନୀ ଏବଂ ଜେନେଲିଆ ଦେଶମୁଖଙ୍କ ଭଳି ବଡ଼ ବଡ଼ କଳାକାରମାନେ ଏହି ଫିଲ୍ମ ପାଇଁ ଟଙ୍କାଟିଏ ବି ପାରିଶ୍ରମିକ ନେଇନାହାନ୍ତି। ରିତେଶଙ୍କ ଅନୁଯାୟୀ, ଅଭିଷେକ ବଚ୍ଚନ ଚରିତ୍ର ବିଷୟରେ ନପଚାରି ତୁରନ୍ତ ଅଭିନୟ ପାଇଁ ହଁ କରିଦେଇଥିଲେ । ପ୍ରାୟ ସାଢ଼େ ତିନି ବର୍ଷର ଗବେଷଣା ପରେ ନିର୍ମିତ ଏହି ଚଳଚ୍ଚିତ୍ର ପାଇଁ ସମସ୍ତ କଳାକାର ସମ୍ପୂର୍ଣ୍ଣ ମାଗଣାରେ କାମ କରି ବଲିଉଡରେ ଏକ ନୂତନ ଉଦାହରଣ ସୃଷ୍ଟି କରିଛନ୍ତି। ଅମାୟିକ ଭଲପାଇବା ଏବଂ ବିନା ସର୍ତ୍ତରେ ପରସ୍ପରକୁ ସାହାଯ୍ୟ କରିବାର ଏହି ପ୍ରୟାସ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।



