ଦେଖନ୍ତୁ ନାହିଁ ଧୁରନ୍ଧର ୨
ରଣବୀର ସିଂଙ୍କ ବହୁ ପ୍ରତିକ୍ଷିତ ଚଳଚ୍ଚିତ୍ର 'ଧୁରନ୍ଧର ୨' ବକ୍ସ ଅଫିସରେ ଭଲ କଲେକ୍ସନ କରୁଥିଲେ ମଧ୍ୟ ପୂର୍ବତନ ଲୋକସଭା ସାଂସଦ ତଥା କନ୍ନଡ ଅଭିନେତ୍ରୀ ରମ୍ୟା ଏହାର କଡ଼ା ସମାଲୋଚନା କରି ଚର୍ଚ୍ଚାକୁ ଆସିଛନ୍ତି । ଗତ ୧୯ ମାର୍ଚ୍ଚରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମକୁ ନେଇ ରମ୍ୟା ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ଏକ ଦୀର୍ଘ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ସେ ଦର୍ଶକଙ୍କୁ ସିନେମା ହଲକୁ ଯାଇ ସମୟ ଓ ଅର୍ଥ ନଷ୍ଟ ନ କରି ଏହାର ଓଟିଟି ରିଲିଜକୁ ଅପେକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି । ସେ ଚଳଚ୍ଚିତ୍ରର ନିର୍ଦ୍ଦେଶନା, ସଂଳାପ, ଏଡିଟିଂ ଏବଂ ବ୍ୟାକଗ୍ରାଉଣ୍ଡ ସ୍କୋରକୁ ଅତ୍ୟନ୍ତ ନିମ୍ନମାନର ବୋଲି ଦର୍ଶାଇଛନ୍ତି । ଏହାସହ ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କୁ ଅନ୍ଧରାଷ୍ଟ୍ରବାଦ ଓ ପ୍ରୋପାଗାଣ୍ଡାରୁ ବାହାରିବାକୁ ପରାମର୍ଶ ଦେଇଛନ୍ତି । ବିଶେଷ କରି ରଣବୀର ସିଂଙ୍କ ଲୁକକୁ ମଧ୍ୟ ସମାଲୋଚନା କରୁଥିବା ଦେଖିବାକୁ ମିଳୁଛି । ରଣବୀରଙ୍କ କେଶକୁ ନେଇ ରାମ୍ୟା ଖୁବ ମଜାକ ଉଡାଇଛନ୍ତି । ଏହା ବ୍ୟତୀତ ଫିଲ୍ମରେ ପ୍ରଦର୍ଶିତ ଅତ୍ୟଧିକ ହିଂସା ଓ ଅଯୌକ୍ତିକ ଦୃଶ୍ୟକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି । ରମ୍ୟା ଏହି ଫିଲ୍ମକୁ ଏକ ବଡ଼ ଫ୍ଲପ ବୋଲି କହିବା ସହ ରଣବୀରଙ୍କ ଭଳି ଦକ୍ଷ ଅଭିନେତା ଏହାଠାରୁ ଭଲ ଚଳଚ୍ଚିତ୍ର କରିବା ପାଇଁ ଯୋଗ୍ୟ ବୋଲି ମତବ୍ୟକ୍ତ କରିଛନ୍ତି। ତେବେ ଏହାକୁ ନେଇ ମେକର୍ସଙ୍କ ପାଖରୁ କୌଣସି ଟିପ୍ପଣୀ ମିଳିନାହିଁ ।



