ଚର୍ଚ୍ଚାରେ ଦିଆଙ୍କ ଇନ୍ଷ୍ଟା ପୋଷ୍ଟ
ବଲିଉଡ୍ ଅଭିନେତ୍ରୀ ଦିଆ ମିର୍ଜା ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କ ସହ କାମ କରିବାର ଅନୁଭୂତିକୁ ଏକ ଦୁଃସ୍ୱପ୍ନ ସହ ତୁଳନା କରି ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ପୋଷ୍ଟ କରିଛନ୍ତି । ଯାହା ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି । ନୱାଜୁଦ୍ଦିନଙ୍କ ଅଫିସିଆଲ୍ ଆକାଉଣ୍ଟକୁ ଟ୍ୟାଗ୍ କରି ଦିଆ ଏହି ମନ୍ତବ୍ୟ ଦେଇଛନ୍ତି । ଦିଆ ଏହି ପୋଷ୍ଟରେ ନୱାଜଙ୍କ ସହ କାମ କରିବା ଏକ ଦୁଃସ୍ୱପ୍ନ ସଦୃଶ, ସେ ଜଣେ ଅତ୍ୟନ୍ତ ଅଭଦ୍ର ବ୍ୟକ୍ତିତ୍ୱ ଏବଂ କଥାବାର୍ତ୍ତା କରିବାର ତାଙ୍କର କୌଣସି ଶୈଳୀ ନଥିବା ବୋଲି ମତ ଦେଇଛନ୍ତି । ଦିଆଙ୍କ ଏହି ପୋଷ୍ଟ ଖୁବ ଭାଇରାଲ ହେଉଥିବାବେଳେ ସେ ନିଜ କ୍ରୋଧର କୌଣସି ନିର୍ଦ୍ଦିଷ୍ଟ କାରଣ ଦର୍ଶାଇ ନାହାନ୍ତି । ତେବେ ନିଜର ବ୍ୟବହାର, ବୟାନ କିମ୍ବା ବ୍ୟକ୍ତିଗତ ଜୀବନକୁ ନେଇ ନୱାଜୁଦ୍ଦିନ ସିଦ୍ଦିକି ବିବାଦ ଘେରକୁ ଆସିବା ଏହା ପ୍ରଥମ ଘଟଣା ନୁହେଁ । ଏହାପୂର୍ବରୁ ୨୦୧୭ରେ ନିଜର ଆତ୍ମଜୀବନୀ ‘ଆନ୍ ଅର୍ଡିନାରୀ ଲାଇଫ୍’ ପ୍ରତ୍ୟାହାର କରିବାଠାରୁ ଆରମ୍ଭ କରି ଚିତ୍ରାଙ୍ଗଦା ସିଂଙ୍କ ଅଭିଯୋଗ ଏବଂ ପତ୍ନୀ ଆଲିୟାଙ୍କ ସହ ଆଇନଗତ ଲଢ଼େଇ ପର୍ଯ୍ୟନ୍ତ ନୱାଜୁଦ୍ଦିନଙ୍କ କ୍ୟାରିୟର ସଫଳତା ସହିତ ଅନେକ ବଡ଼ ବିବାଦରେ ଭରି ରହିଛି । ଅନ୍ୟପକ୍ଷରେ, ଦିଆଙ୍କ ଏହି ପୋଷ୍ଟର କିଛି ସମୟ ପରେ ନୱାଜୁଦ୍ଦିନ ମଧ୍ୟ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ଖାଲି ଚୌକିର ଫଟୋ ସେୟାର କରି କ୍ୟାପସନରେ ‘ଏକ ଓଙ୍କାର! ଗୁରୁ ନାନକ ଦେବ ଜୀ’ ବୋଲି ଲେଖିଛନ୍ତି। ଯାହାକୁ ଦିଆଙ୍କ ପୋଷ୍ଟର ଏକ ପ୍ରତିକ୍ରିୟା ବୋଲି ବିବେଚନା କରାଯାଉଛି ।




