ଚୁଲବୁଲି ମୁସ୍କାନ
ଛୋଟ ସହରରୁ ବାହାରି ମୁମ୍ବାଇରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ମୁସ୍କାନ ବର୍ମାଙ୍କ ସଫଳତା ପଛରେ ରହିଛି ସଂଘର୍ଷ, ତ୍ୟାଗ ଓ ମାଆଙ୍କ ସ୍ୱପ୍ନର ଏକ ପ୍ରେରଣାଦାୟୀ କାହାଣୀ । ଶୈଶବରୁ ହିଁ ନିଜ ମାଆଙ୍କ ଅଧୁରା ଅଭିନୟର ସ୍ୱପ୍ନକୁ ପୂରା କରିବାପାଇଁ ମୁସ୍କାନ ସଙ୍ଗୀତରେ ୬ ବର୍ଷର କୋର୍ସ କରିଥିଲେ । ଏହା ଥିଲା ତାଙ୍କ ସଂଘର୍ଷର ଆରମ୍ଭ ପର୍ଯ୍ୟାୟ। ସାମ୍ବାଦିକ ବାପା ଓ ଶିକ୍ଷୟିତ୍ରୀ ମାଆଙ୍କ ଝିଅ ମୁସ୍କାନଙ୍କୁ ଏହି ଯାତ୍ରାରେ ମାଆଙ୍କର ସବୁଠାରୁ ବଡ଼ ସହଯୋଗ ମିଳିଥିଲା । ତେବେ ପ୍ରଥମରୁ ବାପାଙ୍କ ଅଗୋଚରରେ ସେ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ । କୋଭିଡ୍ ମହାମାରୀର ଠିକ୍ ପୂର୍ବରୁ ମୁମ୍ବାଇ ଆସି ପ୍ରାରମ୍ଭିକ ପର୍ଯ୍ୟାୟରେ ଏକ ବିଜ୍ଞାପନ ମାଧ୍ୟମରେ କ୍ୟାରିୟର ଆରମ୍ଭ କରିଥିଲେ ମୁସ୍କାନ । ତେବେ କ୍ୟାରିୟରର ପ୍ରଥମରୁ ତାଙ୍କୁ ପ୍ରତ୍ୟାଖ୍ୟାନ, ତାତ୍ସଲ୍ୟ ଏବଂ 'କାଷ୍ଟିଂ କାଉଚ୍' ଭଳି ଅନେକ କଟୁ ଅନୁଭୂତିର ସାମ୍ନା କରିବାକୁ ପଡ଼ିଥିଲା । କିନ୍ତୁ ଭୁଲ୍ ରାସ୍ତାରେ ସଫଳତା ପାଇବା ଅପେକ୍ଷା ସେ ସ୍ୱାଭିମାନର ସହ ଅନେକ ପ୍ରୋଜେକ୍ଟ ପ୍ରତ୍ୟାଖ୍ୟାନ କରିବାକୁ ଶ୍ରେୟସ୍କର ମଣିଥିଲେ । ଶେଷରେ ୱେବ୍ ସିରିଜ୍ ‘ଇନ୍ସପେକ୍ଟର ଅବିନାଶ’ରେ ‘ବିନ୍ନି’ ଚରିତ୍ର ଏବଂ ଅଭିନେତା ରଣଦୀପ ହୁଡ୍ଡାଙ୍କ ସହ କାମ କରିବାର ସୁଯୋଗ ତାଙ୍କ ଭାଗ୍ୟ ବଦଳାଇ ଦେଇଥିଲା । ନିଜ ଅଭିନିତ ଚଳଚ୍ଚିତ୍ରରେ କଣ୍ଠଦାନ କରିବାର ଅଭିଳାଷ ରଖିଥିବା ମୁସ୍କାନ ଏବେ ଆହୁରି ପରିଶ୍ରମ କରି ନିଜ କ୍ୟାରିୟରରେ ଆଗକୁ ବଢୁଛନ୍ତି । ଖୁବଶୀଘ୍ର ସେ ନିଜର ଏହି ଅଭିଳାଷ ପୂର୍ଣ୍ଣ ହେବ ବୋଲି ଦୃଢ ଆଶା ସେ ରଖିଛନ୍ତି ।



