ଚୁଲବୁଲି ଚିତ୍ରାଙ୍ଗଦା
ନିଜର ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ ଚିତ୍ରାଙ୍ଗଦା ସିଂ ବର୍ତ୍ତମାନ ନିଜର ଅପକମିଂ ପ୍ରୋଜେକ୍ଟକୁ ନେଇ ଖୁବ ଚର୍ଚ୍ଚାରେ ରହିଛନ୍ତି ।
ବଲିଉଡର ଅନ୍ୟତମ ପ୍ରତିଭା ସମ୍ପନ୍ନ ଅଭିନେତ୍ରୀ ଚିତ୍ରାଙ୍ଗଦା ସିଂହଙ୍କ କ୍ୟାରିୟର ସଫଳତା, ସଂଘର୍ଷ ଓ ବ୍ୟକ୍ତିଗତ ଜୀବନର କାହାଣୀ ଅନ୍ୟମାନଙ୍କ ପାଇଁ ବେଶ୍ ପ୍ରେରଣାଦାୟୀ। ନିଜର ଭିନ୍ନ ଅଭିନୟ ଶୈଳୀ ଓ ଆକର୍ଷଣୀୟ ବ୍ୟକ୍ତିତ୍ୱ ପାଇଁ ଜଣାଶୁଣା ଚିତ୍ରାଙ୍ଗଦାଙ୍କ ବଲିଉଡ୍ ଯାତ୍ରା ‘ହଜାରୋଁ ଖ୍ୱାଇସେଁ ଏସି’ ଚଳଚ୍ଚିତ୍ରରୁ ଆରମ୍ଭ ହୋଇଥିଲା । ଯେଉଁଥିରେ ତାଙ୍କ ଅଭିନୟକୁ ଦର୍ଶକ ଖୁବ୍ ପ୍ରଶଂସା କରିଥିଲେ। ତେବେ ଜଣେ ବିବାହିତା ମହିଳା ଓ ମା’ ଭାବେ ଗ୍ଲାମର ଜଗତରେ ନିଜକୁ ପ୍ରତିଷ୍ଠିତ କରିବା ତାଙ୍କ ପାଇଁ ଏତେ ସହଜ ନଥିଲା। ବିବାହ ପରେ ଚଳଚ୍ଚିତ୍ର ଦୁନିଆକୁ ଆସିଥିବାରୁ ତାଙ୍କୁ ଅନେକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ିଥିଲା । ଗୋଟିଏ ପଟେ ଗଲ୍ଫର ଜ୍ୟୋତି ରନ୍ଧୱାଙ୍କ ସହ ତାଙ୍କର ଦୀର୍ଘ ଦିନର ବୈବାହିକ ସମ୍ପର୍କ ଭାଙ୍ଗିବା ଓ ଅନ୍ୟପଟେ କ୍ୟାରିୟରରେ ଅନେକ ବଡ଼ ବଡ଼ ପ୍ରୋଜେକ୍ଟ ହାତରୁ ଖସିଯିବା ସତ୍ତ୍ୱେ ସେ କେବେ ହାର୍ ମାନିନାହାଁନ୍ତି। ‘ଦେଶୀ ବୟେଜ୍’ ଓ ‘ବବ୍ ବିଶ୍ୱାସ’ ଭଳି ଚଳଚ୍ଚିତ୍ରରେ ନିଜର ଦକ୍ଷତା ପ୍ରମାଣିତ କରିଥିବା ଚିତ୍ରାଙ୍ଗଦା ଏବେ ଏକ ବଡ଼ ପ୍ରୋଜେକ୍ଟରେ କମବ୍ୟାକ କରୁଛନ୍ତି । ଚିତ୍ରାଙ୍ଗଦା ନିଜର ଆଗାମୀ ବଡ଼ ବଜେଟ୍ ପ୍ରୋଜେକ୍ଟରେ ପ୍ରଥମ କରି ସୁପରଷ୍ଟାର୍ ସଲମାନ ଖାନଙ୍କ ବିପକ୍ଷରେ ନଜର ଆସିବେ, ଯାହାକୁ ନେଇ ତାଙ୍କ ଫ୍ୟାନଙ୍କ ମଧ୍ୟରେ ଉତ୍ସାହ ଦ୍ୱିଗୁଣିତ ହୋଇଛି । ଏହି ପ୍ରୋଜେକ୍ଟ ତାଙ୍କ କ୍ୟାରିୟର ପାଇଁ ଏକ ନୂଆ ମୋଡ଼ ବୋଲି ଆଲୋଚନା ହେଉଛି । ଅଭିନୟ ବ୍ୟତୀତ ପ୍ରଯୋଜନା କ୍ଷେତ୍ରରେ ମଧ୍ୟ ରୁଚି ରଖୁଥିବା ଏହି ଅଭିନେତ୍ରୀ ନିଜର ଦୃଢ଼ ଇଚ୍ଛାଶକ୍ତି ବଳରେ ବଲିଉଡରେ ଏବେବି ନିଜର ସ୍ୱତନ୍ତ୍ର ପରିଚୟ ବଜାୟ ରଖିଛନ୍ତି ।



