କ୍ୟାରିୟରରୁ ବ୍ରେକ
ନେହା କକ୍କର ବର୍ତ୍ତମାନ ଖୁବ ଚର୍ଚ୍ଚାରେ ଅଛନ୍ତି । ତେବେ ଏହି ଚର୍ଚ୍ଚାରେ ନେହା ନିଜର ନୂଆ ଗୀତ ପାଇଁ ନୁହେଁ ବରଂ କ୍ୟାରିୟରରୁ ନେଉଥିବା ବ୍ରେକ ପାଇଁ ରହିଛନ୍ତି । ଏହା ତାଙ୍କ ଅଗଣିତ ଫ୍ୟାନଙ୍କୁ ନିରାଶ କରିଥିବା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଛି ।
ବର୍ତ୍ତମାନ ସମୟର ଚର୍ଚ୍ଚିତ ବଲିଉଡ ଗାୟିକା ନେହା କକ୍କର ନିଜର ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନରୁ କିଛି ସମୟ ପାଇଁ ବିରତି ନେଉଥିବା ଘୋଷଣା କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି । ନିକଟରେ ସେ ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ଶେୟାର କରି ଜଣାଇଥିଲେ ଯେ, ସେ କାମ, ସମ୍ପର୍କ ଏବଂ ଦାୟିତ୍ୱରୁ ଦୂରେଇ ରହି ଶାନ୍ତିରେ ସମୟ ବିତାଇବାକୁ ଚାହୁଁଛନ୍ତି। ଏପରିକି ସେ ପାପାରାଜି ଏବଂ ପ୍ରଶଂସକମାନଙ୍କୁ ତାଙ୍କର ଗୋପନୀୟତା ରକ୍ଷା କରିବାକୁ ଏବଂ ତାଙ୍କୁ ଫଟୋ ନ ଉଠାଇବାକୁ ଅନୁରୋଧ କରିଛନ୍ତି। ତାଙ୍କର ନୂଆ ଗୀତ 'କ୍ୟାଣ୍ଡି ସପ୍' ପାଇଁ ହୋଇଥିବା ପ୍ରବଳ ଟ୍ରୋଲିଂ ଏହି ନିଷ୍ପତ୍ତି ପଛର ଏକ କାରଣ ହୋଇଥାଇପାରେ ବୋଲି ଚର୍ଚ୍ଚା ହେଉଛି । ସଫଳତାର ଶୀର୍ଷରେ ପହଞ୍ଚିଥିବା ନେହା କକ୍କରଙ୍କ ଜୀବନ କାହାଣୀ ଅତ୍ୟନ୍ତ ସଂଘର୍ଷମୟ ଥିଲା। ଋଷିକେଶର ଏକ ସାଧାରଣ ପରିବାରରେ ଜନ୍ମିତ ନେହାଙ୍କ ପିଲାଦିନ ଆଦୌ ସହଜ ନଥିଲା । ଏପରିକି ତାଙ୍କ ପରିବାରର ଆର୍ଥିକ ଅବସ୍ଥା ଏତେ ଖରାପ ଥିଲା ଯେ ନେହା ମାତ୍ର ୪ ବର୍ଷ ବୟସରୁ ନିଜ ଭଉଣୀ ସୋନୁ କକ୍କରଙ୍କ ସହ ଜାଗରଣ ଓ ଭଜନ ସମାରୋହରେ ଗୀତ ଗାଇବା ଆରମ୍ଭ କରିଥିଲେ । ସେ ସମୟରେ ଜଣେ ଗାୟିକା ଭାବେ ନିଜକୁ ପ୍ରତିଷ୍ଠିତ କରିବା ପାଇଁ ସେ କଠିନ ପରିଶ୍ରମ କରିଥିଲେ । ନେହାଙ୍କ ସଫଳତାର ଯାତ୍ରା ୨୦୦୫ ମସିହାରେ 'ଇଣ୍ଡିଆନ୍ ଆଇଡଲ୍ - ସିଜନ୍ ୨' ରୁ ଆରମ୍ଭ ହୋଇଥିଲା, ଯଦିଓ ସେ ସେଠାରୁ ଶୀଘ୍ର ବାଦ୍ ପଡ଼ିଥିଲେ କିନ୍ତୁ ସେ ହାର ମାନିନଥିଲେ । ପରବର୍ତ୍ତୀ ସମୟରେ 'ସେକେଣ୍ଡ ହ୍ୟାଣ୍ଡ ଜୱାନି', 'ଲଣ୍ଡନ ଥୁମକଦା', ଏବଂ 'କାଲା ଚଷମା' ଭଳି ସୁପରହିଟ୍ ଗୀତ ଦେଇ ସେ ବଲିଉଡର ଏକ ନମ୍ବର ଗାୟିକା ଭାବେ ନିଜକୁ ପ୍ରତିଷ୍ଠିତ କରିଥିଲେ । ସେ କେବଳ ଗାୟିକା ନୁହଁନ୍ତି, ବରଂ 'ଇଣ୍ଡିଆନ୍ ଆଇଡଲ୍' ଭଳି ଶୋ’ରେ ବିଚାରକ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ନେହାଙ୍କ ପରିବାରରେ ତାଙ୍କ ଭଉଣୀ ସୋନୁ କକ୍କର ଏବଂ ଭାଇ ଟୋନି କକ୍କର ମଧ୍ୟ ସଙ୍ଗୀତ ଦୁନିଆରେ ବେଶ୍ ଜଣାଶୁଣା । ୨୦୨୦ ମସିହାରେ ସେ ଗାୟକ ରୋହନପ୍ରୀତ ସିଂଙ୍କୁ ବିବାହ କରିଥିଲେ । ସେ ସବୁବେଳେ ନିଜ ପରିବାରକୁ ନିଜର ବଡ଼ ଶକ୍ତି ବୋଲି ମାନନ୍ତି । ବର୍ତ୍ତମାନର ଏହି ବିରତି ତାଙ୍କ ମାନସିକ ଶାନ୍ତି ପାଇଁ ଆବଶ୍ୟକ ବୋଲି ତାଙ୍କ ପ୍ରଶଂସକମାନେ ଆଶା କରୁଛନ୍ତି ଏବଂ ସେ ପୁଣି ଥରେ ନୂଆ ଉତ୍ସାହର ସହ ଫେରିଆସନ୍ତୁ ବୋଲି ଶୁଭେଚ୍ଛା ଜଣାଉଛନ୍ତି ।



