ବଣ୍ଡ OO୭

ବଣ୍ଡ OO୭
Ipsita Picture
By: Ipsita
Published On

 

ଦୀର୍ଘ ମାସ ଧରି ୱାର୍ଲ୍ଡ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଲାଗି ରହିଥିବା ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ବିଶ୍ୱପ୍ରସିଦ୍ଧ ବ୍ରିଟିଶ ଗୁପ୍ତଚର 'ଜେମ୍ସ ବଣ୍ଡ' (୦୦୭) ଚରିତ୍ର ପାଇଁ ନୂଆ ଅଭିନେତାଙ୍କ ନାମ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି । ଲୋକପ୍ରିୟ ହଲିଉଡ ଅଭିନେତା ରବଟ ପ୍ୟାଟିନସନଙ୍କୁ ପରବର୍ତ୍ତୀ ଜେମ୍ସ ବଣ୍ଡ ଭାବେ ଚୟନ କରାଯାଇଛନ୍ତି ।

 

ଏହି ଘୋଷଣା ପରେ ରବଟ ପୂର୍ବତନ ବଣ୍ଡ ତାରକା ଡାନିଏଲ କ୍ରେଗଙ୍କ ସ୍ଥାନ ନେବାକୁ ଯାଉଛନ୍ତି । ସୋମବାର ନଭେମ୍ବର ୧୬ ତାରିଖରେ ଜେମ୍ସ ବଣ୍ଡର ଅଫିସିଆଲ ସୋସିଆଲ ମିଡିଆ ଆକାଉଣ୍ଟ ଜରିଆରେ ଏହି ବଡ଼ ଘୋଷଣା କରାଯିବା ପରେ ସାରା ବିଶ୍ୱର ସିନେପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ୪୦ ବର୍ଷୀୟ ପ୍ୟାଟିନସନ ଏହି ଐତିହାସିକ ଫିଲ୍ମ ଫ୍ରାଞ୍ଚାଇଜରେ '୦୦୭' ଭୂମିକାରେ ଅଭିନୟ କରିବାରେ ସପ୍ତମ ଅଭିନେତା ହେବାର ଗୌରବ ଅର୍ଜନ କରିଛନ୍ତି । ରବଟ ପ୍ୟାଟିନସନଙ୍କ ଏହି ଚୟନ ବଣ୍ଡ ଫ୍ରାଞ୍ଚାଇଜରେ ଏକ ସମ୍ପୂର୍ଣ୍ଣ ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛି ।  ପ୍ରଯୋଜନା ସଂସ୍ଥା ପକ୍ଷରୁ ଏହି ସିରିଜର ୨୬ତମ ଆନୁଷ୍ଠାନିକ ଚଳଚ୍ଚିତ୍ର ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଉଲ୍ଲେଖଯୋଗ୍ୟ ଯେ, ଏହି ରେସରେ ହେନେରୀ କାଭିଲ, ଆରୋନ ଟେଲର-ଜନସନ, ଇଦ୍ରିସ ଏଲବା, ଥିଓ ଜେମ୍ସ, କାଲମ ଟର୍ନର, ଜୋସ ଓ'କନର, ଜ୍ୟାକ ଲୋଡେନ ଏବଂ ନିକୋଲାସ ହୋଲ୍ଟଙ୍କ ଭଳି ବହୁ ନାମୀଦାମୀ ଓ ଦକ୍ଷ କଳାକାରଙ୍କ ନାମ ଚର୍ଚ୍ଚାରେ ରହିଥିଲା, କିନ୍ତୁ ଶେଷରେ ସମସ୍ତଙ୍କୁ ପଛରେ ପକାଇ ପ୍ୟାଟିନସନ ଏହି ପ୍ରସିଦ୍ଧ ଭୂମିକାକୁ ନିଜ ନାଁରେ କରିବାରେ ସଫଳ ହୋଇଛନ୍ତି । ଆଗାମୀ ଜେମ୍ସ ବଣ୍ଡ ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ହଲିଉଡର ପ୍ରଖ୍ୟାତ ନିର୍ଦ୍ଦେଶକ ଡେନିସ ଭିଲେନ୍ୟୁଭଙ୍କୁ ଦିଆଯାଇଛି, ଯିଏକି 'ଡ୍ୟୁନ୍', 'ଡ୍ୟୁନ୍: ପାର୍ଟ ଟୁ' ଏବଂ 'ପ୍ରିଜନର୍ସ' ଭଳି ବିଶ୍ୱସ୍ତରୀୟ ସୁପରହିଟ୍ ଓ ସମାଲୋଚକଙ୍କ ଦ୍ୱାରା ପ୍ରଶଂସିତ ଫିଲ୍ମ ନିର୍ମାଣ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।  ରବଟ ପ୍ୟାଟିନସନ ୨୦୦୫ ମସିହାରେ ମୁକ୍ତିଲାଭ କରିଥିବା 'ହ୍ୟାରି ପୋଟର ଆଣ୍ଡ ଦ ଗବଲେଟ ଅଫ୍ ଫାୟାର' ଚଳଚ୍ଚିତ୍ରରେ ସେଡ୍ରିକ ଡିଗୋରୀ ଭୂମିକାରେ ଅଭିନୟ କରି ପ୍ରଥମେ ଦର୍ଶକଙ୍କ ନଜରକୁ ଆସିଥିଲେ । ପରବର୍ତ୍ତୀ ସମୟରେ 'ଟ୍ୱାଇଲାଇଟ' ଫିଲ୍ମ ସିରିଜରେ ଏଡୱାର୍ଡ କୁଲେନଙ୍କ ଚରିତ୍ରରେ ଅଭିନୟ କରି ସେ ଯୁବପିଢ଼ିଙ୍କ ମଧ୍ୟରେ ଲୋକପ୍ରିୟତା ହାସଲ କରିଥିଲେ ।  ଏହାସହ ଅନ୍ତର୍ଜାତୀୟ ସ୍ତରରେ ଜଣେ ବଡ଼ ଷ୍ଟାର ଭାବେ ଉଭା ହୋଇଥିଲେ । କେବଳ ବଡ଼ ବଜେଟର ବ୍ୟବସାୟିକ ଫିଲ୍ମରେ ନିଜକୁ ସୀମିତ ନ ରଖି ସେ 'ଗୁଡ୍ ଟାଇମ୍', 'ଦ ଲାଇଟହାଉସ' (୨୦୧୯) ଏବଂ ଖ୍ରୀଷ୍ଟୋଫର ନୋଲାନଙ୍କ 'ଟେନେଟ' (୨୦୨୦) ଭଳି ଭିନ୍ନ ଧରଣର ଚରିତ୍ରରେ ମଧ୍ୟ ଅଭିନୟ କରିଛନ୍ତି । ଏହାପରେ ୨୦୨୨ ମସିହାରେ ମ୍ୟାଟ ରିଭ୍ସଙ୍କ ନିର୍ଦ୍ଦେଶିତ 'ଦ ବ୍ୟାଟମ୍ୟାନ'ରେ ବ୍ରୁସ୍ ୱେନ୍ ତଥା ବ୍ୟାଟମ୍ୟାନ ଚରିତ୍ରରେ ତାଙ୍କର ଗମ୍ଭୀର ଅଭିନୟ ଦର୍ଶକ ଓ ସମାଲୋଚକଙ୍କ ଦ୍ୱାରା ବେଶ୍ ପ୍ରଶଂସିତ ହୋଇଥିଲା । ଯାହା ତାଙ୍କୁ ଜେମ୍ସ ବଣ୍ଡ ଭଳି ଏକ ଚ୍ୟାଲେଞ୍ଜିଂ ଭୂମିକା ପାଇଁ ଯୋଗ୍ୟ ବିବେଚିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ।

Tags: