ବବି ଦେୱଲ

ଦୁଷ୍ଟ ନାୟକ

ବବି ଦେୱଲ
Ipsita Picture
By: Ipsita
Published On

 

ଫିଲ୍ମ ଇଣ୍ଡଷ୍ଟ୍ରୀରେ ସଫଳତା କେତେବେଳେ କାହାର ପାଦ ଛୁଇଁବ ତାହାର ଠିକଣା ନଥାଏ । ଅନେକ ସମୟରେ ଅନେକ ଷ୍ଟାରଙ୍କର କ୍ୟାରିୟର ୟୁଟର୍ଣ୍ଣ ନେବାର ନଜିର ଏଠାରେ ରହିଛି । ଏହି ତାଲିକା ଖୁବ ଲମ୍ବା, ତେବେ ସେଥିମଧ୍ୟରୁ ଜଣେ ହେଲେ ବବି ଦେୱଲ । ନବେ ଦଶକରେ ବବିଙ୍କର କ୍ରେଜ ଅନେକ ରହିଥିଲା ହେଲେ ହଠାତ୍ ବବିଙ୍କ ଫିଲ୍ମ ଆସିବା ବନ୍ଦ ହୋଇଗଲା, ସେ ଯେପରି ଇଣ୍ଡଷ୍ଟ୍ରୀରୁ କେଉଁଆଡେ ହଜିଗଲେ । ଏହାର ଅନେକ ବର୍ଷ ପରେ ବବିଙ୍କର କମବ୍ୟାକ ହୁଏ ସିରିଜ ଆଶ୍ରମ ଜରିଆରେ, ଯେଉଁଥିରେ ବବି ନଜର ଆସନ୍ତି ଜଣେ ଖଳନାୟକ ଭୂମିକାରେ । ଏଥିରେ ଜଣେ ଭଣ୍ଡ ସାଧୁଙ୍କର ଚରିତ୍ରକୁ ବେଶ ଜୀବନ୍ତ ଭାବେ ପରଦାରେ ଫୁଟାଇ ପାରନ୍ତି ବବି । ବବିଙ୍କର ଏହି ସିରିଜ ତାଙ୍କୁ ଏକ ଦମଦାର କମବ୍ୟାକ ଦିଏ । ସିରିଜକୁ ଦର୍ଶକ ଅନେକ ଭଲ ପାଇବା ଦେବାର ଦେଖିବାକୁ ମିଳେ । ଏହି ସିରିଜରେ ସେ ଅଭିନୟ କରିଥିବା ଚରିତ୍ର ବାବା ନିରାଲାକୁ ଲୋକ ଅନେକ ଦିନ ପର୍ଯ୍ୟନ୍ତ ଗାଳି ଦେଇଥିଲେ । ତାଙ୍କ ଅଭିନୟ ଏତେ ଜୀବନ୍ତ ଥିଲା କି ଲୋକତାଙ୍କୁ ଖଳନାୟକ ଭାବେ ଗାଳି ନଦେଇ ରହିପାରି ନଥିଲେ । ଏହି କମ ବ୍ୟାକ ପରେ ବବିଙ୍କୁ ଏକ ବଡ ପ୍ରୋଜେକ୍ଟରେ ସମସ୍ତେ ଦେଖିଥିଲେ, ଫିଲ୍ମର ନାଁ ଥିଲା ଆନିମଲ । ଏଥିରେ ବବିଙ୍କୁ ମୁଖ୍ୟ ଖଳନାୟକ ଭୂମିକାରେ ଦେଖିବାକୁ ମିଳିଥିଲା । ସବୁଠାରୁ ଆଶ୍ଚର୍ଯ୍ୟକଥା ଥିଲା ଏଥିରେ ବବି ଦେୱଲଙ୍କୁ ଡାଇଲଗ କହୁଥିବାର କେହି ଦେଖିନଥିଲେ । କାରଣ ତାଙ୍କ ଚରିତ୍ରଟି ଦିବ୍ୟାଙ୍ଗ ଥିଲା ଯିଏ କିଛି ଘଟଣା ପରେ ମୁକ ପାଲଟି ଯାଇଥିଲା । ଏଥିରେ ବବିଙ୍କର ଏକ୍ସପ୍ରେସନର ତଡକା ଦେଖିବାକୁ ମିଳିଥିଲା, ଯେଉଁଥିରେ କିଛି ଡାଇଲଗ ନଥିଲା । କୌଣସି କଥା ନକହି ମଧ୍ୟ ବବି ଦର୍ଶକଙ୍କୁ ଖୁବ ସୁନ୍ଦର ଅଭିନୟ କରି ଦେଖାଇଥିଲେ । ଏଥିରେ ତାଙ୍କର ଡ୍ୟାନ୍ସ, ମୁଖଭଙ୍ଗୀ, ଆକସନ୍ ସବୁଥିରେ ଏକ ସ୍ବତନ୍ତ୍ର ଧରଣର ଜଲୱା ଦେଖିବାକୁ ମିଳିଥିଲା । ଏହି ଫିଲ୍ମରେ ବବିଙ୍କ ସହିତ ରଣବୀର କପୁର ଓ ରଶ୍ମିକା ମନ୍ଦାନା ସ୍କ୍ରିନ ସେୟାର କରିଥିଲେ । କିନ୍ତୁ ଦେଖିବାକୁ ମିଳିଥିଲା ଯେପରି ସବୁ ଲାଇମ ଲାଇଟ ବବି ଦେୱଲ ଚୋରି କରି ନେଇଛନ୍ତି । ସବୁଆଡେ ବବିଙ୍କର କ୍ରେଜ ଦେଖିବାକୁ ମିଳିଥିଲା । ତାଙ୍କ ନା ବଦଳି ସୋସିଆଲ ମିଡିଆରେ  ଲର୍ଡ ବବି ପାଲଟିଯାଇଥିଲା । ତାଙ୍କର ପୁରୁଣା ଫିଲ୍ମ ଗୁପ୍ତ, ବରସାତ, ସୋଲ୍ଜର, ଅଜନବି, ବିଛୁ, ନକାବ, ହାଉସ ଫୁଲ, ଅପନେ, ଔର ପ୍ୟାର ହୋଗୟା ଆଦିକୁ ଯେପରି ଆନିମଲ ପଛରେ ପକାଇ ଦେଇଥିଲା । ହିରୋ ଭୂମିକାରେ ଯେତିକି ସଫଳତା ପାଇନଥିଲେ ତାଠାରୁ ଢେର ଗୁଣ ଅଧିକା ସଫଳତା ତାଙ୍କୁ ଖଳନାୟକ ଚରିତ୍ରରେ ମିଳିଥିଲା । ଯେତେବେଳେ ଦର୍ଶକ ଧୀରେଧୀରେ ବବିଙ୍କୁ ଭୁଲିବାକୁ ଲାଗିଥିଲେ, ସେହି ସମୟରେ ତାଙ୍କର ଏଭଳି କମବ୍ୟାକ ସମସ୍ତଙ୍କୁ ଚମକାଇ ଦେଇଥିଲା । ସମସ୍ତେ ତାଙ୍କର ଅଭିନୟକୁ ବାପା ଧର୍ମେନ୍ଦ୍ରଙ୍କ ସହିତ ତୂଳନା କରିବାକୁ ଲାଗିଲେ । ସମସ୍ତଙ୍କ ପାଇଁ ଏକ ପ୍ରେରଣା ଭାବେ ବବି ଉଭା ହୋଇଥିଲେ । ପରିଶ୍ରମର ଫଳ ସବୁବେଳେ ମିଠା ଓ ସଫଳତା କେବେ ବି ତୁମକୁ ମିଳିପାରେ ବୋଲି ବବି ପ୍ରମାଣିତ କରିଥିଲେ ।