ମା ହେବା ନିଜସ୍ବ ନିଷ୍ପତ୍ତି
ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ଅଭିନେତ୍ରୀ କୃତି ସାନନ୍ ନିଜ ଜୀବନର ଏକ ବଡ଼ ବ୍ୟକ୍ତିଗତ ନିଷ୍ପତ୍ତି ବିଷୟରେ ପ୍ରଥମ ଥର ପାଇଁ ଏକ ପଡ୍କାଷ୍ଟରେ ଖୁଲାସା କରିଛନ୍ତି । ସେ ଜଣାଇଛନ୍ତି ଯେ ସରୋଗେସି ଉପରେ ଆଧାରିତ ତାଙ୍କର ସୁପରହିଟ୍ ଫିଲ୍ମ 'ମିମି'ର ସୁଟିଂ ସମୟରେ ସେ ନିଜର ଏଗ୍ ଫ୍ରିଜ୍ କରିଥିଲେ । ଏହି ଚଳଚ୍ଚିତ୍ରରେ ଜଣେ ଗର୍ଭବତୀ ମହିଳାର ଚରିତ୍ରକୁ ସ୍ୱାଭାବିକ ଭାବେ ଅଭିନୟ କରିବା ପାଇଁ କୃତିଙ୍କୁ ପ୍ରାୟ ୧୫ କିଲୋଗ୍ରାମ ଓଜନ ବଢ଼ାଇବାକୁ ପଡ଼ିଥିଲା । ଓଜନ ବଢ଼ାଇବା ପାଇଁ ତାଙ୍କ ପାଖରେ ଦୁଇ ମାସର ସମୟ ଥିଲା ଏବଂ ସେହି ସମୟରେ କୌଣସି ସୁଟିଂ ନଥିଲା। ତେଣୁ ଏଗ୍ ଫ୍ରିଜ୍ ପ୍ରକ୍ରିୟା ସେ ଏହି ସମୟରେ ହିଁ କରିଥିଲେ ଯାହା ତାଙ୍କୁ ଖୁବ ସହାୟକ ହୋଇଥିଲା । ଏହି ପ୍ରକ୍ରିୟା କାରଣରୁ ତାଙ୍କୁ ଫିଲ୍ମ ସୁଟିଂରେ ମଧ୍ୟ ଖୁବ ସହାୟତା ମିଳିଥିବା ସେ ପ୍ରକାଶ କରିଛନ୍ତି । ଏହି ସମୟରେ ହରମୋନ୍ର ପରିବର୍ତ୍ତନ ଯୋଗୁଁ ସେ ଜଣେ ଗର୍ଭବତୀ ମହିଳାଙ୍କ ଭଳି ଅତ୍ୟଧିକ ମୁଡ୍ ସ୍ୱିଙ୍ଗ୍ ଅନୁଭବ କରୁଥିଲେ । ତେବେ ନିଜର ଫର୍ଟିଲିଟିକୁ ସୁରକ୍ଷିତ ରଖିବା ଦ୍ୱାରା ସେ ବାୟୋଲୋଜିକାଲ୍ କ୍ଲକର ମାନସିକ ଚାପରୁ ସେ ମୁକ୍ତି ପାଇଛନ୍ତି । ବିବାହ କିମ୍ବା ପିଲା ଜନ୍ମ କରିବା ନିଷ୍ପତ୍ତି କୌଣସି ସାମାଜିକ ଚାପରେ ନୁହେଁ, ବରଂ ନିଜେ ପ୍ରସ୍ତୁତ ଥିବା ବେଳେ ହିଁ ନେବା ଉଚିତ୍ ବୋଲି ସେ ମତ ପ୍ରକାଶ କରିଛନ୍ତି ।




