ମେକଅପ ଠାରୁ ଦୂରରେ
ତାମିଲନାଡୁର କୋଏମ୍ବାଟୁରରେ ଜନ୍ମିତ ସାଇ ପଲ୍ଲବୀ ଆଜି ଭାରତୀୟ ସିନେମାର ଜଣେ ଆଗଧାଡ଼ିର ଅଭିନେତ୍ରୀ । ତାଙ୍କର ଏହି ସଫଳତା ପଛରେ ଅନେକ ଆକସ୍ମିକ ସଂଯୋଗ ରହିଛି। ଜଣେ ବ୍ୟାଡମିଣ୍ଟନ ଖେଳାଳି ଏବଂ ମାତ୍ର ୧୩ ବର୍ଷ ବୟସରେ ଜଣେ ଶିଶୁ କଳାକାର ଭାବେ କ୍ୟାରିୟର୍ ଆରମ୍ଭ କରିଥିଲେ ସାଇ । ସାଇ କଙ୍ଗନା ରାନାୱତଙ୍କ ତାମିଲ ଡେବ୍ୟୁ ଫିଲ୍ମ ‘ଧାମ୍ ଧୁମ୍’ରେ ଜଣେ ଜୁନିୟର ଆର୍ଟିଷ୍ଟ ଭାବେ କାମ କରିଥିଲେ। ନୃତ୍ୟ ପ୍ରତି ପ୍ରବଳ ରୁଚି ରଖୁଥିବା ସାଇ ‘କୌନ ବନେଗା ଅଗଲା ପ୍ରଭୁଦେବା’ ରିଆଲିଟି ଶୋ’ରୁ ନିଜର ପରିଚୟ ସୃଷ୍ଟି କରିଥିଲେ, ଯେଉଁଠି ତାଙ୍କ ନୃତ୍ୟ ଦେଖି ସାମନ୍ଥା ମଧ୍ୟ ଅଭିଭୂତ ହୋଇଥିଲେ । ସେହି ଶୋ’ରେ ସେ ସେମିଫାଇନାଲରୁ ବାଦ୍ ପଡ଼ି ପ୍ରଭୁଦେବାଙ୍କୁ ଭେଟିବାର ସୁଯୋଗ ହରାଇଥିଲେ ମଧ୍ୟ, ଦଶନ୍ଧିଏ ପରେ ସେହି ପ୍ରଭୁଦେବାଙ୍କ କୋରିଓଗ୍ରାଫିରେ ‘ରାଉଡି ବେବି’ ଗୀତ ମାଧ୍ୟମରେ ୧.୫ ବିଲିୟନ ଭ୍ୟୁଜ୍ର ଇତିହାସ ରଚିଥିଲେ। ପ୍ରକୃତରେ ଜଣେ ଡାକ୍ତର ହେବାର ସ୍ୱପ୍ନ ରଖି ଜର୍ଜିଆରେ ପାଠ ପଢୁଥିବା ସାଇ, ନିର୍ଦ୍ଦେଶକ ଅଲଫୋନ୍ସ ପୁଥ୍ରେନଙ୍କ ଅଫରକୁ ପ୍ରଥମେ ପ୍ରତ୍ୟାଖ୍ୟାନ କରିଥିଲେ । ଏହାପରେ ବାରମ୍ବାର ଫୋନ୍ କଲ୍ ଯୋଗୁଁ ତାଙ୍କୁ ଜଣେ ‘ଷ୍ଟକର୍’ ଭାବି ପୋଲିସରେ ଅଭିଯୋଗ କରିବାକୁ ମଧ୍ୟ ଚାହିଁଥିଲେ। ଶେଷରେ ୨୦୧୪ରେ ନିଜର ତିନୋଟି ସର୍ତ୍ତ ଯଥା ଛୁଟି ଦିନରେ ସୁଟିଂ, ଆରାମଦାୟକ ପୋଷାକ ଏବଂ ବିନା ମେକଅପ୍ରେ ଅଭିନୟ ସହ ସେ ବ୍ଲକବଷ୍ଟର ଫିଲ୍ମ ‘ପ୍ରେମମ୍’ ସାଇନ୍ କରିଥିଲେ । ଏହାପରେ ତାଙ୍କୁ ‘କାଲି’, ‘ଫିଦା’ ଓ ‘ମାରି-୨’ ଭଳି ହିଟ୍ ଫିଲ୍ମରେ ଦେଖିବାକୁ ମିଳିଥିଲା । ତେବେ ସେ ସବୁବେଳେ ନିଜର ନୋ ମେକଅପ ଲୁକ ପାଇଁ ଖୁବ ପରିଚିତ, ଯେଉଁଥିପାଇଁ ସେ ୨ କୋଟି ଟଙ୍କାର ଫେୟାରନେସ୍ କ୍ରିମ୍ ବିଜ୍ଞାପନକୁ ମଧ୍ୟ ପ୍ରତ୍ୟାଖ୍ୟାନ କରିଥିଲେ। ଆଜି ପର୍ଯ୍ୟନ୍ତ ନିଜ ଅଭିନୟର ଯାଦୁରେ ସମସ୍ତଙ୍କର ପସନ୍ଦ ପାଲିଟିଥିବା ସାଇ ଆଗକୁ ଫିଲ୍ମ ରାମାୟଣରେ ରଣବୀର କପୁରଙ୍କ ସହିତ ସ୍କ୍ରିନ ସେୟାର କରିବେ ।




