ପିଛା ଛାଡୁନି ବିବାଦ
ବିବାଦ ଯେପରି ବଲିଉଡ ଅଭିନେତ୍ରୀ ଜ୍ୟାକଲିନଙ୍କର ସାଥୀ ପାଲଟିଯାଇଛି,ସେ ଯେତେ ଚେଷ୍ଟା କଲେ ମଧ୍ୟ ବିବାଦ ତାଙ୍କ ପିଛା ଛାଡୁନି । ସୂଚନା ଅନୁସାରେ ୨୦୦ କୋଟି ଟଙ୍କାର ମନି ଲଣ୍ଡରିଂ ମାମଲାରେ ବୁଧବାର ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟରେ ଜ୍ୟାକଲିନ ହାଜର ହୋଇଛନ୍ତି । ତେବେ କୋର୍ଟରେ ହାଜର ହୋଇ ନିଜ ଉପରେ ଲାଗିଥିବା ସମସ୍ତ ଆରୋପକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ଦର୍ଶାଇ ଖାରଜ କରିଛନ୍ତି ଜ୍ୟାକଲିନ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜ୍ୟାକଲିନଙ୍କ ଭୂମିକା ଓ ଆର୍ଥିକ କାରବାରର ଯାଞ୍ଚ କରୁଥିବା ବେଳେ ଏଜେନ୍ସିର ସପ୍ଲିମେଣ୍ଟାରୀ ଚାର୍ଜସିଟ୍ରେ ଅଭିନେତ୍ରୀଙ୍କୁ ମଧ୍ୟ ଅଭିଯୁକ୍ତ କରାଯାଇଛି । କାରଣ ଇଡି ଅନୁଯାୟୀ ସୁକେଶଙ୍କ ଅପରାଧିକ ପୃଷ୍ଠଭୂମି ବିଷୟରେ ଜାଣି ମଧ୍ୟ ସେ ତାଙ୍କଠାରୁ ଦାମୀ ଗାଡ଼ି, ବ୍ରାଣ୍ଡେଡ୍ ବ୍ୟାଗ୍, ଗହଣା ଓ ପୋଷା ଜୀବନ ଭଳି କୋଟି କୋଟି ଟଙ୍କାର ଉପହାର ଗ୍ରହଣ କରିଥିଲେ । ଅପରପକ୍ଷରେ, ଦିଲ୍ଲୀର ରୋହିଣୀ ଜେଲ୍ ଭିତରୁ ଫୋର୍ଟିସ୍ ହେଲ୍ଥକେୟାରର ପୂର୍ବତନ ପ୍ରମୋଟର ଶିବିନ୍ଦର ସିଂହଙ୍କ ପତ୍ନୀ ଅଦିତି ସିଂହଙ୍କଠାରୁ ୨୦୦ କୋଟି ଟଙ୍କା ଜବରଦସ୍ତି ଆଦାୟ କରିବା ମାମଲାରେ ମଧ୍ୟ ଜ୍ୟାକଲିନ ଛନ୍ଦି ହୋଇଛନ୍ତି । ତେବେ ସମସ୍ତ ମାମଲାରେ ଅଭିନେତ୍ରୀଙ୍କର ଲିଗାଲ୍ ଟିମ୍ କୋର୍ଟରେ ଯୁକ୍ତି ବାଢ଼ିଛି ଯେ ଅଭିନେତ୍ରୀ ଜଣେ ପୀଡ଼ିତା । ସେ ସୁକେଶଙ୍କୁ ଜଣେ ବ୍ୟବସାୟୀ ଭାବି ତାଙ୍କ ଷଡ଼ଯନ୍ତ୍ରର ଶିକାର ହୋଇଛନ୍ତି ।




