ଗିନିଜ ରେକର୍ଡରେ ଅଲ୍ଲୁ ଅର୍ଜୁନଙ୍କ ଚଳଚ୍ଚିତ୍ର
ଦକ୍ଷିଣ ଭାରତୀୟ ସୁପରଷ୍ଟାର୍ ଅଲ୍ଲୁ ଅର୍ଜୁନ ଏବଂ ଚର୍ଚ୍ଚିତ ନିର୍ଦ୍ଦେଶକ ଅଟଲିଙ୍କ ଆଗାମୀ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ରାକା’ ରିଲିଜ ପୂର୍ବରୁ ଗିନିଜ୍ ୱାର୍ଲ୍ଡ ରେକର୍ଡ ସୃଷ୍ଟି କରି ଚର୍ଚ୍ଚାର ଶୀର୍ଷରେ ପହଞ୍ଚିଛି । 'ସବୁଠାରୁ ଅଧିକ ବ୍ୟକ୍ତିଙ୍କର ରିଅଲ୍-ଟାଇମ୍ ମୋସନ୍-କ୍ୟାପଚର' ପାଇଁ ଏହି ଚଳଚ୍ଚିତ୍ରଟିକୁ ଅଫିସିଆଲି ଗିନିଜ୍ ରେକର୍ଡ ପ୍ରଦାନ କରାଯାଇଛି । ଯେଉଁଥିରେ ଗୋଟିଏ ଶୁଟିଂ ସେସନରେ ୪ ବର୍ଷର ଶିଶୁଠାରୁ ଆରମ୍ଭ କରି ୭୦ ବର୍ଷର ବୃଦ୍ଧଙ୍କ ପର୍ଯ୍ୟନ୍ତ ମୋଟ ୩୭ ଜଣ କଳାକାରଙ୍କ ଶାରୀରିକ ଗତିବିଧିକୁ ଏକାସାଙ୍ଗରେ ଟ୍ରାକ୍ କରାଯାଇଥିଲା । ଏହି ବିଶାଳକାୟ ଓ ଜଟିଳ ସେଟ୍ଅପ୍ ପାଇଁ ଲସ୍ ଆଞ୍ଜେଲସ୍ରୁ ଆବଶ୍ୟକୀୟ ଆଧୁନିକ ଜ୍ଞାନକୌଶଳ ଓ ସରଞ୍ଜାମ ଅଣାଯାଇ ଭାରତରେ ଏକ ସ୍ୱତନ୍ତ୍ର ମୋସନ୍-କ୍ୟାପଚର ଫ୍ୟାସିଲିଟି ଓ ନୂଆ ପାଇପଲାଇନ୍ ୱର୍କଫ୍ଲୋ ସ୍ଥାପନ କରାଯାଇଥିଲା । ଏହାକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରଯୋଜନା ସଂସ୍ଥା 'ସନ୍ ପିକ୍ଚର୍ସ'ର ମୁଖ୍ୟ କଳାନିଧି ମାରନ୍ଙ୍କ ପୂର୍ଣ୍ଣ ସହଯୋଗରେ ୯୨ଟି ଅପ୍ଟିକାଲ୍ ମୋସନ୍-କ୍ୟାପଚର କ୍ୟାମେରା, ରିଅଲ୍-ଟାଇମ୍ ଅନରିଅଲ୍ ଭିଜୁଆଲାଇଜେସନ୍, ଫେସିଆଲ୍ କ୍ୟାପଚର ଓ ଆଡଭାନ୍ସଡ୍ ନେଟୱର୍କ ସିଷ୍ଟମକୁ ଏକାସାଙ୍ଗରେ ସିଙ୍କ୍ରୋନାଇଜ୍ କରାଯାଇଥିଲା । ଏହି ଅଭୂତପୂର୍ବ ସଫଳତା ସମ୍ପର୍କରେ ପ୍ରକାଶ କରି 'ସନ୍ ପିକ୍ଚର୍ସ'ର ଏକ ଭିଡିଓରେ ମୋସନ୍-କ୍ୟାପଚର ଟେକ୍ନିକାଲ୍ ଡାଇରେକ୍ଟର ବ୍ରାଏନ୍ ରାଉଶ୍ କହିଛନ୍ତି ଯେ, ଆନିମେସନ୍ କେବଳ ସ୍ୱଚାଳିତ ଭାବେ ବୋତାମ ଦାବିଦେଲେ ହୁଏନାହିଁ, ବରଂ ଏହା ପଛରେ କଠୋର ପରିଶ୍ରମ ରହିଥାଏ । ଅଲ୍ଲୁ ଅର୍ଜୁନ ଏହି ସଫଳତା ପାଇଁ ନିର୍ଦ୍ଦେଶକ ଅଟଲି, ମେକର୍ସ ଟିମ୍ ଓ ସନ୍ ପିକ୍ଚର୍ସକୁ ଶ୍ରେୟ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ‘ରାକା’ ଏକ ସାଇନ୍ସ-ଫିକ୍ସନ୍ ଆକ୍ସନ୍ ଡ୍ରାମା ଚଳଚ୍ଚିତ୍ର, ଯେଉଁଥିରେ ଅଲ୍ଲୁ ଅର୍ଜୁନ କୋଜା, ବାପା ଓ ଦୁଇ ପୁଅ ଭାବେ ମୋଟ ୪ଟି ଭିନ୍ନ ଭୂମିକାରେ ଅଭିନୟ କରୁଥିବା ନେଇ ଚର୍ଚ୍ଚା ହେଉଛି । ଏହାସହ ଏହି ସିନେମାର କାହାଣୀ 'ସମାନ୍ତରାଳ ବ୍ରହ୍ମାଣ୍ଡ' ବା ପାରାଲାଲ ୟୁନିଭର୍ସ ଉପରେ ଆଧାରିତ ବୋଲି ଆଲୋଚନା ହେଉଛି । ଏଥିରେ ଅଲ୍ଲୁ ଅର୍ଜୁନଙ୍କ ବ୍ୟତିତ ଦୀପିକା ପାଦୁକୋନ, ରଶ୍ମିକା ମନ୍ଦାନା, ଜାହ୍ନବୀ କପୁର ଓ ମୃଣାଳ ଠାକୁର ମୁଖ୍ୟ ଭୂମିକାରେ ନଜର ଆସିବେ ।




