ପାକିସ୍ତାନୀ ବ୍ରାଣ୍ଡରେ ଆଲିଆଙ୍କ ଫଟୋ
ପାକିସ୍ତାନୀ ପୋଷାକ ବ୍ରାଣ୍ଡ 'ବଜାୟଶା ଅଫିସିଆଲ୍' ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଏଆଇ ନିର୍ମିତ କିଛି ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରି ବିବାଦକୁ ଆସିଛି । ଏହି ପୋଷ୍ଟରେ ଆଲିଆଙ୍କ ପୁରୁଣା ଫଟୋଗୁଡ଼ିକୁ ଡିଜିଟାଲ୍ ଏଡିଟିଂ ମାଧ୍ୟମରେ ବ୍ରାଣ୍ଡର ସିଲ୍କ ସୁଟ୍ ସହିତ ସୁପରଇମ୍ପୋଜ୍ କରାଯାଇଛି। ଗତ ୧୬ ଏପ୍ରିଲରେ ବ୍ରାଣ୍ଡ ପକ୍ଷରୁ ଶେୟାର କରାଯାଇଥିବା ଏହି ଫଟୋଗୁଡ଼ିକରେ ଆଲିଆଙ୍କ ୨୦୨୪ ଲୋରିଏଲ୍ ପ୍ୟାରିସ୍ ର୍ୟାମ୍ପ ଓ୍ୱାକ୍ ଏବଂ ୨୦୨୬ ଗୁଚି ମିଲାନ ଫ୍ୟାଶନ ୱିକ୍ ଭଳି ବିଭିନ୍ନ ଲୁକକୁ ବ୍ୟବହାର କରାଯାଇଛି । ତେବେ ବ୍ରାଣ୍ଡଟି ଦାବି କରିଛି ଯେ ଆଲିଆଙ୍କୁ ସେମାନଙ୍କର କଲେକ୍ସନ ବହୁତ ପସନ୍ଦ। ତେବେ ସୋସିଆଲ ମିଡିଆରେ କିନ୍ତୁ ଏଭଳି କାର୍ଯ୍ୟକୁ ପସନ୍ଦ କରାଯାଉନାହିଁ । ଏହି ବ୍ୟବସାୟିକ ଜାଲିଆତିକୁ ନେଇ ପ୍ରଶଂସକମାନେ କ୍ରୋଧ ପ୍ରକାଶ କରିବା ସହ କପିରାଇଟ୍ ଉଲ୍ଲଂଘନ ପାଇଁ କୋର୍ଟରେ ମାମଲା କରିବାକୁ ଚେତାବନୀ ଦେଉଥିବା ଦେଖିବାକୁ ମିଳୁଛି । ହେଲେ ଏହାର ଉତ୍ତରରେ ଉକ୍ତ ପୋଷାକ ବ୍ରାଣ୍ଡର ଉତ୍ତର ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । "ଏହାକୁ ଭାଇରାଲ୍ କରିଦିଅନ୍ତୁ ଯେପରି ଆଲିଆ ଜାଣିପାରିବେ" ବୋଲି ବ୍ରାଣ୍ଡ ପକ୍ଷରୁ ଉତ୍ତର ରଖାଯାଇଛି । ଯାହାଫଳରେ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଏବେ ଆଲିଆ ଓ ତାଙ୍କ ଟିମକୁ ଟ୍ୟାଗ୍ କରି ଉକ୍ତ ପାକିସ୍ତାନୀ ବ୍ରାଣ୍ଡ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରୁଛନ୍ତି । ମାମଲାରେ ଆଲିଆଙ୍କର କୌଣସି ମତ ମିଳିପାରି ନାହିଁ ।



